ଇସ୍କନର ପ୍ରତିଷ୍ଠାତା ପ୍ରଭୁପାଦଙ୍କ ଜୟନ୍ତୀରେ ୧୨୫ ଟଙ୍କାର ମୁଦ୍ରା ଜାରି କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଇସ୍କନର ପ୍ରତିଷ୍ଠାତା ଏବଂ ହରେ ରାମ ହରେ କୃଷ୍ଣ ମହାମନ୍ତ୍ରରେ ବିଶ୍ୱରେ ଶ୍ରୀକୃଷ୍ଣ ଭକ୍ତିର ଜ୍ୟୋତି ଜଳାଇଥିବା ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨୫ ଟଙ୍କାର ବିଶେଷ ସ୍ମାରକ ମୁଦ୍ରା ଜାରି କରିବେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍ଓ) ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ୧ ସେପ୍ଟେମ୍ବର ସନ୍ଧ୍ୟା ୪.୩୦ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ୧୨୫ ଟଙ୍କାର ଏକ ବିଶେଷ ସ୍ମାରକ ମୁଦ୍ରା ଜାରି କରିବେ । ପ୍ରଧାନମନ୍ତ୍ରୀ ଏହି ସମୟରେ ସଭାକୁ ସମ୍ବୋଧିତ କରିବେ । ଏଥିରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡି ଉପସ୍ଥିତ ରହିବେ । ଉଲ୍ଲେଖନୀୟ ଯେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଇଂଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କ୍ୟାଶିୟସନେସ(ଇସ୍କନ)ର ସ୍ଥାପନା କରିଥିଲେ । ସାଧାରଣରେ ଏହାକୁ ହରେ କୃଷ୍ଣ ଆନ୍ଦୋଳନ ରୂପରେ ଜଣାଯାଏ । ଇସ୍କନ ଶ୍ରୀମଦ୍ଭଗବତ ଗୀତା ଏବଂ ଅନ୍ୟ ବୈଦିକ ସାହିତ୍ୟର ୮୯ ଭାଷାରେ ଅନୁବାଦ କରିଛି । ଏହା ବୈଦିକ ସାହିତ୍ୟର ପ୍ରସାରରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ସ୍ୱାମୀଜି ଶହେରୁ ଉର୍ଦ୍ଧ୍ୱ ମନ୍ଦିରର ମଧ୍ୟ ସ୍ଥାପନା କରିଛନ୍ତି ଏବଂ ଦୁନିଆକୁ ଭକ୍ତି ଯୋଗର ମାର୍ଗ ଶିଖାଉଥିବା କେତେକ ବହି ମଧ୍ୟ ଲେଖିଛନ୍ତି ।