ବାଲେଶ୍ୱର : ବନ୍ଧୁକ ଦେଖାଇ ଯୁବକକୁ ଧମକାଇଲେ ଦୁଇ ରିଜର୍ଭ ପୋଲିସ
ବାଲେଶ୍ୱର : ଦିନ ଦ୍ଵିପ୍ରହରେ ରାଜପଥ ଉପରେ ବନ୍ଧୁକ ଦେଖାଇ ମାରିଦେବା ଧମକ ଦେଉଛନ୍ତି ସାଧା ପୋଷାକରେ ଥିବା ଦୁଇ ରିଜର୍ଭ ପୋଲିସ । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲା ଜଳେଶ୍ଵର ଥାନା ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନଂ ଜାତୀୟ ରାଜପଥ କାଶିଡିଆ ନିକଟରେ ଦେଖିବାକୁ ମିଳିଛି ।
ସୁଚନା ଅନୁଯାୟୀ ଭୋଗରାଇ ଅଞ୍ଚଳରୁ ଦୁଇଜଣ ରିଜର୍ଭ ପୋଲିସ କର୍ମଚାରୀ ସାଧା ପୋଷାକରେ ଗୋଟିଏ ବାଇକ ଯୋଗେ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ଜଳେଶ୍ଵର ଥାନା କାଶିଡିଆ ନିକଟରେ ଜଣେ ଯୁବକ ରାସ୍ତା ଅତିକ୍ରମ କରୁଥିଲେ । ପୋଲିସ କର୍ମଚାରୀ ଦୁଇଜଣ ଗାଡ଼ି ଅଟକାଇ ରାସ୍ତା ଅତିକ୍ରମ କରୁଥିବା ଯୁବକକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ କର୍ମଚାରୀ ଦୁଇଜଣ ତାଙ୍କ ପାଖରେ ଥିବା ବନ୍ଧୁକକୁ ବାହାର କରି ପଥଚାରି ଯୁବକକୁ ଦେଖାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ପାଖରୁ ବନ୍ଧୁକ ଛଡ଼ାଇ ନେଇ ରାସ୍ତା ପାର୍ଶ୍ବରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିଲେ । ତେବେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରୁ ବନ୍ଧୁକ ଉଦ୍ଧାର କରିବା ସହିତ ଦୁଇ ରିଜର୍ଭ ପୋଲିସ କର୍ମଚାରୀଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଜଳେଶ୍ୱର ପୋଲିସ ଦୁଇ ଜଣକୁ ଛାଡ଼ିଦେଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସାଧା ପୋଷାକରେ ଥାଇ ବିନା କୈାଣସି କାରଣରେ ଜଣେ ଯୁବକ ଉପରକୁ ବନ୍ଧୁକ ଉଠାଇବା ଏବଂ ବନ୍ଧୁକର ଅପ ବ୍ୟବହାର କରିବାକୁ ଏହି ଦୁଇ ପୋଲିସ ଙ୍କୁ ଅଧିକାର ଦେଲା କିଏ ଯାହାକି ସମସ୍ତଙ୍କୁ ଚକିତ କରୁଛି । ଏତେବଡ଼ ଘଟଣା ପରେ ଦୁଇ ଜଣ ରିଜର୍ଭ ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କେମିତି ଜଳେଶ୍ୱର ପୋଲିସ ଛାଡିଦେଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ।