କାବୁଲରେ ପୁଣି ବିସ୍ଫୋରଣ : ରକେଟ ମାଡ଼ରେ ୨ ମୃତ, ୩ ଆହତ
କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଏବେ ଆସନ୍ତା ହୋଇପଡିଛି । କେତେବେଳେ ବୋମା ବିସ୍ଫୋରଣ ତ ପୁଣି କେତେବେଳେ ରକେଟ ମାଡ । ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦର ନିକଟରେ ପୁଣି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ୪ଦିନ ଭିତରେ କାବୁଲରେ ଏହା ତୃତୀୟ ବିସ୍ଫୋରଣ। କାବୁଲ ବିମାନ ବନ୍ଦରରେ ରକେଟ ମାଡ଼ ହୋଇଛି। ବିମାନବନ୍ଦର ନିକଟ ଆବାସିକ ଅଞ୍ଚଳରେ ରକେଟ ମାଡ଼ ସୂଚନା ମିଳିିଛି। ଏହି ରକେଟ ମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳିଛି । ସିରିଜ ବିସ୍ଫୋରଣର ୩ ଦିନ ପରେ ରକେଟ ମାଡ଼ କରାଯାଇଛି। କାବୁଲରେ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରି ପୂର୍ବରୁ ଏହି ଅଞ୍ଚଳ ପାଇଁ ଆମେରିକା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲା।
ଭାଇରାଲ ହେଉଥିବା ଫଟୋରେ ବିମାନବନ୍ଦର ନିକଟରେ କଳା ଧୂଆଁ ଦୃଶ୍ୟମାନ ହେଉଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂସ୍ଥା ଏହି ଘଟଣା ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହାପୂର୍ବରୁ ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦର ଉପରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଥିଲେ, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆମ କମାଣ୍ଡର୍ମାନେ ମୋତେ ସୂଚନା ଦେଇଛନ୍ତି। ତେଣୁ, ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଁ ସେମାନଙ୍କୁ ନିର୍ଦେଶ ଦେଇଛି। କାରଣ, ସେମାନେ ବିମାନ ବନ୍ଦରକୁ ନିରାପଦ ରଖିବା ସହ ଆମେରିକୀୟ ଏବଂ ତାଲିବାନ୍ ଶାସନରୁ ନିସ୍ତାର ପାଇବା ଲାଗି ବ୍ୟାକୁଳ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଇବାରେ ସହାୟକ ହେଉଛନ୍ତି।