ଭାରତୀୟ ତଟବର୍ତି ସୀମାର ସଫଳ ପ୍ରହରୀ ସାଜିବ ବିଗ୍ରହ : ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଭାରତର ତଟବର୍ତି ଇଲାକାରେ ସୁରକ୍ଷାକୁ ଏ ପ୍ରକାର ମଜବୁତ୍ କରାଯାଇଛି, ଯାହାଦ୍ୱାରା କି, ଏବେ ସମୁଦ୍ର ମାର୍ଗରେ ୨୦୦୮ ମୁମ୍ବାଇ ଆକ୍ରମଣ ଭଳି ଆତଙ୍କବାଦୀ ଘଟଣା ଘଟିବ ନାହିଁ । ତଟରକ୍ଷକ ବଳର ଶକ୍ତି ଓ ସାମର୍ଥ୍ୟର ଅଭିବୃଦ୍ଧି ପାଇଁ ଏଥିରେ ଯୁଦ୍ଧ ଜାହାଜ ‘ବିଗ୍ରହ’କୁ ସାମିଲ୍ କରାଯାଇଛି । ଯାହାକି ଯେ କୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିପାରିବ ଏବଂ ଭାରତୀୟ ତଟବର୍ତି ସୀମାର ସଫଳ ପ୍ରହରୀ ସାଜିବ ।
ଏନେଇ ଅଧିକ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ସୁରକ୍ଷା, ସୀମା ବିବାଦ ଏବଂ ସମୁଦ୍ର ପ୍ରଭୁତ୍ୱ କାରଣରୁ ବିଶ୍ୱର ବିଭିନ୍ନ ଦେଶ ନିଜ ନିଜର ସୈନ୍ୟ ଶକ୍ତି ଓ ଆଧୁନିକୀକରଣ କରି ଏହାକୁ ମଜବୁତ କରିବାରେ ଲାଗିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଚେନ୍ନାଇରେ ଅତ୍ୟାଧୁନିକ ତଟରକ୍ଷକ ଜାହଜ ‘ବିଗ୍ରହ’ର କମିଶନିଙ୍ଗ ସମାରୋହକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଏହି ଜାହାଜ ଯେ କୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାର ସାମର୍ଥ୍ୟ ରଖିଛି ।