ନିର୍ମାଣାଧୀନ ଫ୍ଲାଏଓଭରର କଂକ୍ରିଟ୍ ବ୍ଲକ୍ ଖସି ଜଣେ ମୃତ, ଦୁଇ ଆହତ
ଚେନ୍ନାଇ : ତାମିଲନାଡୁର ମଦୁରାଇ ଜିଲାରେ ଅଘଟଣ । ଶନିବାର ସନ୍ଧ୍ୟାରେ ନାଥମ୍ ରୋଡରେ ନିର୍ମାଣାଧୀନ ଫ୍ଲାଏଓଭରର ଏକ କଂକ୍ରିଟ୍ ବ୍ଲକ୍ ଖସିପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ଉତ୍ତରପ୍ରଦେଶର ଆକାଶ ସିଂ (୪୫) ବୋଲି ଜଣାପଡିଛି ।
୪୦ରୁ ଅଧିକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କଂକ୍ରିଟ୍ ବ୍ଲକ୍ ତଳେ କେହି ଫସି ରହିଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ କଂକ୍ରିଟ ବ୍ଲକର ଓଜନ ୭୦ ଟନ୍ ବୋଲି କୁହାଯାଉଛି । ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ମଦୁରାଇ ଏବଂ ଚେଟିକୁଲମ୍ ମଧ୍ୟରେ ଏହି ସେତୁ ନିର୍ମାଣ କରାଯାଉଛି। ସେତୁ ନିର୍ମାଣ ହେବା ପରେ ଚେନ୍ନାଇ ଏବଂ ମଦୁରାଇ ମଧ୍ୟରେ ଯାତ୍ରା ସମୟ ଦେଢ଼ ଘଣ୍ଟା ହ୍ରାସ ପାଇବ ବୋଲି ଜଣାଯାଇଛି।