ପୁଣି କାବୁଲ ବିମାନବନ୍ଦରରେ ଗୁଳିମାଡ, ଲୁହବୁହା ଗ୍ୟାସ୍ ପ୍ରୟୋଗ
କାବୁଲ : ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ସେଠାରେ ଆତଙ୍କରାଜ ଆରମ୍ଭ ହୋଇଯାଇଛି । ବିଶେଷ କରି କାବୁଲ ବିମାନବନ୍ଦରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ୨ ଦିନ ବ୍ୟବଧାନରେ ଶନିବାର ପୁଣି ବିମାନବନ୍ଦରର ପ୍ରବେଶ ପଥରେ ଗୁଳିମାଡ ସହିତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିବା ଜଣାପଡିଛି । ଏଭଳି ଘଟଣା ପରେ ସେଠାରେ ଏବେ ଭୟର ବାତାବରଣ ରହିଛି । ୨ ଦିନ ପୂର୍ବେ କାବୁଲ ଏୟାରପୋର୍ଟରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ସମେତ ୯ ଜଣ ଆମେରିକୀୟ ସେନାଙ୍କର ଜୀବନ ଯାଇଥିଲା । ବିସ୍ଫୋରଣରେ ଅନେକ ସାଧାରଣ ଲୋକେ ଆହତ ମଧ୍ୟ ହୋଇଥିଲେ ।
ମିଳିଥିବା ସୂଚନା ଅନୁସାରେ, ଶନିବାର କାବୁଲ ବିମାନବନ୍ଦରର ଏଣ୍ଟ୍ରି ଗେଟ୍ ନିକଟରେ ହିଁ ଗୁଳିମାଡ ହୋଇଛି । କିନ୍ତୁ କିଏ ଗୁଳିମାଡଳ କରିଛି ଏବଂ ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ । ସାଧାରଣ ଲୋକଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ଏବଂ ଗୋଲା ମାଡ ହୋଇଥିବା ଜଣାପଡିଛି । ଘଟଣା ପରେ ସେଠାରେ ଏବେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । କାବୁଲରେ ୨ ଦିନ ପୂର୍ବରୁ ହୋଇଥିବା ବୋମା ବିସ୍ଫୋରଣ ପରେ ସେଠାରେ ଏବେ ଉଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି । କାବୁଲ ଏୟାରପୋର୍ଟରେ ବିସ୍ଫୋରଣ ହୋଇଥିବା ନେଇ ଆଇଏସଆଇଏସ-କେ ନିଜକୁ ଦାୟୀ କରିଥିଲା । ଏହା ପରେ ଆମେରିକା ମଧ୍ୟ ଆଇଏସଆଇଏସ-କେର କ୍ୟାମ୍ପଗୁଡିକରେ ଏୟାରଷ୍ଟ୍ରାଇକ୍ କରିଛି । ଆମେରିକା ତାର ଯୁଦ୍ଧ ଜେଟ୍ ସାହାଯ୍ୟରେ ଆଫଗାନିସ୍ତାନର ଗାଙ୍ଗରହାରରେ ଥିବା ଆଇଏସଆଇଏସ-କେ ର ଠିକଣା ଉପରେ ଘନଘନ ଏୟାରଷ୍ଟ୍ରାଇକ୍ କରି ଉଡାଇ ଦେଇଛି । କାବୁଲ ବିସ୍ଫୋରଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଆତଙ୍କବାଦୀକୁ ମଧ୍ୟ ନିହତ କରାଯାଇଥିବା କହିଛି ଆମେରିକା । ସୂଚନା ଯେ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୬୯ ଜଣ ଆଫଗାନ୍ଙ୍କର ଜୀବନ ଯାଇଥିଲା । ଏହା ବ୍ୟତିତ ୧୩ ଜଣ ଆମେରିକୀୟ ସୈନ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହାର ପ୍ରତିଶୋଧ ନେବାପାଇଁ କହିଥିଲେ । ମାତ୍ର କେଇଘଣ୍ଟା ପରେ ଆଇଏସଆଇଏସ-କେ ର ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଆମେରିକା ଏୟାରଫୋର୍ସ ।