ଅନନ୍ତ ମହାପାତ୍ର ଓ କୁମ୍ କୁମ୍ ମହାନ୍ତି ପାଇବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ
- ୨୦୧୯ ଓ ୨୦୨୦ ଦୁଇବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା
ଭୁବନେଶ୍ୱର : ୨୦୧୯ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଅନନ୍ତ ମହାପାତ୍ର ଏବଂ ୨୦୨୦ ମସିହା ପାଇଁ ଓଡ଼ିଶୀ ନୃତ୍ୟ ବିଶାରଦ ତଥା ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତିଙ୍କ ନାମ ମନୋନୀତ କରାଯାଇଛି । ସେହିପରି ହିନ୍ଦୁସ୍ଥାନୀ କଣ୍ଠସଂଗୀତ ଓ ଗୀତିକବିତା ବର୍ଗରେ ଯଥାକ୍ରମେ ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନରେ ୨୦୧୯ ପାଇଁ ଡ. ରଘୁନାଥ ସାହୁ ଏବଂ ୨୦୨୦ ପାଇଁ ଶ୍ରୀମତୀ ବନ୍ଦିତା ରାୟ, ୨୦୧୯ ପାଇଁ ବିନୋଦ କୁମାର ପଶାୟତ, ସମ୍ବଲପୁର ଏବଂ ୨୦୨୦ ପାଇଁ ଅଲେଖ ପଢ଼ୀହାରୀଙ୍କୁ ମନୋନୀତ କରାଯାଇଛି ।
ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ୨୦୧୯ ଓ ୨୦୨୦ ବର୍ଷ ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସହିତ ଅନ୍ୟ ୧୫ଟି ବର୍ଗରେ ଏକାଡେମୀ ସମ୍ମାନ ଘୋଷଣା କରାଯାଇଛି । ଶୁକ୍ରବାର ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏହି ଘୋଷଣା କରିଥିଲେ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଁ ମାନପତ୍ର, ଉପଢ଼ୌକନ, କୃତୀଫଳକ ଓ ୫ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ସୁନନ୍ଦା ସମ୍ମାନ ଓ ସାରଦା ପ୍ରସନ୍ନ ସମ୍ମାନ ପାଇଁ ୨.୫ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ବାବଦକୁ ପ୍ରଦାନ କରାଯିବ ବୋଲି ଏକାଡେମୀର ସଚିବ ପ୍ରବୋଧ ରଥ ପ୍ରକାଶ କରିଛନ୍ତି । ମନୋନୀତ କଳାକାରମାନଙ୍କୁ ଆସନ୍ତା ୩୦ ତାରିଖ ଦିନ ଅପରାହ୍ନ ୪ ଟା ସମୟରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ।
ଅନ୍ୟ ସମ୍ମାନଗୁଡ଼ିକ ମଧ୍ୟରେ ୨୦୧୯ ବର୍ଷ ନିମନ୍ତେ ଅଭିନୟ ପାଇଁ ନବକିଶୋର ଆଚାର୍ଯ୍ୟ ଏବଂ ଶ୍ରୀମତୀ ମମତା ମହାନ୍ତି, ନାଟ୍ୟ ରଚନା ପାଇଁ ସୁଧାକର ନନ୍ଦ, ନିର୍ଦ୍ଦେଶନା ପାଇଁ ହରିହର ମିଶ୍ର, ମଂଚକଳା ପାଇଁ ପ୍ରଭାସ ଚନ୍ଦ୍ର ମିଶ୍ର, ଲୋକସଂଗୀତ ପାଇଁ ରାଧାଶ୍ୟାମ ସାହୁଶର୍ମା, ଲୋକବାଦ୍ୟ ପାଇଁ ଶଙ୍କର ପ୍ରଧାନ, ଲୋକନୃତ୍ୟ ପାଇଁ କାଳୁଚରଣ ସାହୁ, ଲୋକନାଟ୍ୟ ପାଇଁ କଣ୍ଠ ଗୌଡ଼, ଯନ୍ତ୍ର ସଂଗୀତ (ଆନଦ୍ଧ ତାଳ) ପାଇଁ ଡ. ଜଗନ୍ନାଥ କୁଅଁର, ଯନ୍ତ୍ର ସଂଗୀତ (ତାରବାଦ୍ୟ) ପାଇଁ କୈଳାସ ଚନ୍ଦ୍ର ପାତ୍ର, ଓଡ଼ିଶୀ ନୃତ୍ୟ ପାଇଁ ରତିକାନ୍ତ ମହାପାତ୍ର, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ଚନ୍ଦ୍ରମଣି ଲେଙ୍କା, ସୁଗମ ସଂଗୀତ ପାଇଁ ତାନ୍ସେନ୍ ସିଂ, ବିନୋଦ କୁମାର ପଶାୟତ୍ ଙ୍କୁ ଏକାଡେମୀ ପକ୍ଷରୁ ସମ୍ମାନିତ କରାଯିବ ।
ସେହିପରି ୨୦୨୦ ନିମନ୍ତେ ଅଭିନୟ ପାଇଁ ଶ୍ରୀମତୀ ସୁଶୀଳା ନାୟାର ଏବଂ ବିଜୟ କୁମାର ପଟ୍ଟନାୟକ, ନାଟ୍ୟ ରଚନା ପାଇଁ ଭାସ୍କର ଚନ୍ଦ୍ର ମହାପାତ୍ର, ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକ,ମଂଚକଳା ପାଇଁ ପ୍ରଭାତ ମହାରଣା, ଲୋକସଂଗୀତ ପାଇଁ ନବୀନ କିଶୋର କୁଅଁର,ଲୋକବାଦ୍ୟ ପାଇଁ କିଶୋର ଚନ୍ଦ୍ର ପ୍ରଧାନ, ଲୋକନୃତ୍ୟ ପାଇଁ ନାରାୟଣ ମହାରଣା, ଲୋକନାଟ୍ୟ ପାଇଁ ନିର୍ମଳ ଚନ୍ଦ୍ର ରାଉତ, ଯନ୍ତ୍ରସଂଗୀତ (ଆନଦ୍ଧ ବାଦ୍ୟ) ପାଇଁ ଶରତ କୁମାର ପାଣି, ଯନ୍ତ୍ରସଂଗୀତ(ସୁଶୀର ବାଦ୍ୟ) ପାଇଁ ନିତ୍ୟାନନ୍ଦ ମହାପାତ୍ର , ଓଡ଼ିଶୀ ନୃତ୍ୟ ପାଇଁ ଗଜେନ୍ଦ୍ର ପଣ୍ଡା, ଓଡ଼ିଶୀ କଣ୍ଠ ସଂଗୀତ ପାଇଁ ରଘୁନାଥ ପାତ୍ର, ସୁଗମ ସଂଗୀତ ପାଇଁ ବିଭୁଧେନ୍ଦ୍ର ଦାସଙ୍କୁ ସମ୍ମାନିତ କରାଯିବ ।