ଆଇପିଏଲ୍-୧୪ଶ ସଂସ୍କରଣ : ହ୍ୟାଟ୍ରିକ୍ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍ସ
ମୁମ୍ବଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍-୨୦୧୧)ର ୧୪ଶ ସଂସ୍କରଣ ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେଉଛି । ଏହି ସଂସ୍କରଣରେ ଚମ୍ପିଆନ୍ ହେବାକୁ କେଉଁ ଦଳ ଫେଭରିଟ୍ ବୋଲି ପ୍ରଶ୍ନ କରାଯାଏ; ତେବେ ମୁମ୍ବଇ ଇଣ୍ଡିଆନ୍ସର ନାମ ନିଶ୍ଚିତ ମନକୁ ଆସିଯାଏ। ଗତ ୨ଟି ସଂସ୍କରଣରେ ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍ସ ଏଥର ଟାଇଟଲର ହ୍ୟାଟ୍ରିକ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଚଳିତ ଟୁର୍ଣ୍ଣାମେଣ୍ଟରେ ବୋଧହୁଏ ସବୁଠାରୁ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ମୁମ୍ବଇ ଇଣ୍ଡିଆନ୍ସର ଅଛି। ପ୍ରଥମ ୭ ଜଣଙ୍କ ମଧ୍ୟରୁ ନିକଟରେ ଇଂଲଣ୍ଡ ବିପକ୍ଷରେ ୫ ଜଣ ଖେଳିଥିଲେ। ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା, ଇଶାନ୍ କିଷନ୍, ସୂର୍ୟ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟା। ଅନ୍ୟ ୨ ବ୍ୟାଟ୍ସମ୍ୟାନ୍ ଧଳାବଲ୍ କ୍ରିକେଟ୍ରେ ବିଶ୍ୱରେ ବେଶ୍ ଖ୍ୟାତିସମ୍ପନ୍ନ। ସେମାନେ ହେଲେ କ୍ୱିନନ୍ ଡି କକ୍ ଓ କୈରନ୍ ପୋଲାର୍ଡ। ବିସ୍ଫୋରକ ବ୍ୟାଟିଂ ପାଇଁ ଦୁହେଁ ପ୍ରସିଦ୍ଧ। ଗତବର୍ଷ ଏହି ବ୍ୟାଟିଂ ଶକ୍ତି ବଳରେ ମୁମ୍ବଇ ଇଣ୍ଡିଆନ୍ସ ଚମ୍ପିଆନ୍ ହୋଇଥିଲା। ଦଳ ପ୍ରଥମ ୭ ବ୍ୟାଟ୍ସମ୍ୟାନଙ୍କୁ ଆଦୌ ପରିବର୍ତ୍ତନ କରିନଥିଲା। ବାମହାତି ଇଶାନ୍ କିଷନ୍ ମୋଟ ୩୦ଟି ଛକା ମାରିଥିଲେ। ଇଶାନ୍, ସୂର୍ୟ୍ୟକୁମାର ଓ ଡି କକ୍ ୪ଟି ଲେଖାଏଁ ଅର୍ଦ୍ଧଶତକ ମାରିଥିଲେ। କ୍ରିସ୍ ଲିନ୍ଙ୍କୁ ଆଦୌ ସୁଯୋଗ ମିଳିନଥିଲା। ଗତବର୍ଷ ଇଶାନ୍ ଓ ସୂର୍ୟ୍ୟକୁମାର ୧୪୫.୫୦ ଷ୍ଟ୍ରାଇକ୍ରେଟ୍ରେ ମିଳିତ ଭାବେ ୯୯୬ ରନ୍ କରିଥିଲେ। ମୁମ୍ବଇର ଏପରି ବ୍ୟାଟିଂ ଲାଇନ୍କୁ ରୋକିବା ପ୍ରତିପକ୍ଷ ବୋଲିଂ ଲାଇନ୍ ପାଇଁ କାଠିକର ପାଠ ହୋଇପାରେ। ଏଥର ମୁମ୍ବଇ ଦଳରେ ନ୍ୟୁଜିଲାଣ୍ଡ ଅଲ୍ରାଉଣ୍ଡର ଜେମ୍ସ ନିସାମ୍ଙ୍କୁ ସାମିଲ କରିଛି। କେବଳ ବ୍ୟାଟିଂ ନୁହେଁ; ବୋଲିଂରେ ମଧ୍ୟ ମୁମ୍ବଇର ଶକ୍ତିବୃଦ୍ଧି ଘଟିଛି।
ସୂଚନା ଯେ, ବିରାଟ କୋହଲି ଆଇପିଏଲର ଉଦ୍ଘାଟନୀ ମ୍ୟାଚ୍ ପୂର୍ବରୁ ନିଜ ଦଳକୁ ଲଢିବାର ମନ୍ତ୍ର ଦେଇଛନ୍ତି। ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଚମ୍ପିଆନ ହୋଇଥିବା ବେଳେ ବେଙ୍ଗାଲୁରୁ ହାତରେ ଗୋଟିଏ ବି ଟାଇଟଲ ନାହିଁ। ତେଣୁ ଦଳ ୧୪ତମ ସିଜିନ୍ରେ ଚମ୍ପିଆନ ହେବାକୁ ଅଣ୍ଟା ଭିଡିଛି। ସେ ଲେଖିଛନ୍ତି ଯେ, ଆରସିବି ପ୍ରଶଂଶକ ଆମେ ଫେରି ଆସିଲୁ। ଆମେ ରେଡ୍ ଓ ଗୋଲଡେନ୍ ବ୍ରିଗେଡ୍ର ପ୍ରତିନିଧିତ୍ଵ କରି ଗର୍ବିତ। ଏକ କଡା ମୁକାବିଲା ଆମକୁ ଅପେକ୍ଷା କରିଛି। ଆମେ ନିଜର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବୁ। ଆମକୁ ବିଜୟର ମନ୍ତ୍ର ଦିଅନ୍ତୁ ଏବଂ ହ୍ୟାସଟ୍ୟାଗ୍ ‘Play Bold’ ଦେଇଛନ୍ତି। ଏହାର ଅର୍ଥ ସାହାସର ସହ ଖେଳ। ଏଥିରୁ ହିଁ କୋହଲିଙ୍କ ରଣନୀତି ବିଷୟରେ ଆଭାସ୍ ମିଳୁଛି। କେବଳ ଏତିକି ନୁହେଁ ସେ ଏପ୍ରିଲ ୯ରେ ଖେଳାଯିବାକୁ ଥିବା ମ୍ୟାଚ୍କୁ ମଧ୍ୟ ମନେ ପକାଇଛନ୍ତି। ଗତ ସିଜିନ୍ରେ ବେଙ୍ଗାଲୁରୁ ଚତୁର୍ଥ ନମ୍ବରରେ ଥିଲା। ଦଳ ତିନି ଥର ୨୦୦୯, ୨୦୧୧ ଓ ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଥରୁଟିଏ ଟାଇଟଲ୍ ଜିତି ପାରିନାହିଁ। ବିରାଟ କୋହଲି ପ୍ରଶଂସକଙ୍କୁ ବିଜୟର ମନ୍ତ୍ର ପଚାରିଥିଲେ। ଏହା ଉପରେ ପ୍ରଶଂସକ ରୋଚକ ଜବାବ ଦେଇଛନ୍ତି। ଜଣେ ଲେଖିଛନ୍ତି ମୁମ୍ବାଇକୁ ଧୋଇବା ପାଇଁ ଆସୁଛନ୍ତି ସୁପରମ୍ୟାନ୍ ଓ ବ୍ୟାଟ୍ମ୍ୟାନ୍। ଏଥିରେ ଏବି ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ଫଟୋ ଲାଗିଛି। ଅନେକ ପ୍ରଶଂସକ ମୁମ୍ବାଇକୁ ନେଇ ବ୍ୟଙ୍ଗାତ୍ମକ ଟ୍ଵିଟ୍ ମଧ୍ୟ କରିଛନ୍ତି। ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ହୋଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଭାରି ରହିଛି। ମୋଟ୍ ୨୭ଟି ମ୍ୟାଚ୍ରୁ ମୁମ୍ବାଇ ୧୭ ଥର ଜିତିଥିବା ବେଳେ ବେଙ୍ଗାଲୁରୁ କେବଳ ୧୦ଟି ମ୍ୟାଚ୍ ଜିତି ପାରିଛି।