୩ୟ ଟେଷ୍ଟ : ପ୍ରଥମ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୫୬/୪
ଲିଡ୍ସ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବୁଧବାର ଲିଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ୩ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଏଥିରେ ଟସ ଜିତି ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମାତ୍ର ତାହା ଭୁଲ ସାବ୍ୟସ୍ତ ହୋଇଛି । ଭାରତ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଜଣେ ପରେ ଜଣେ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୨୫.୪ ଓଭରରେ ୪ ଉଇକେଟ ହରାଇ ୫୬ ରନ ସଂଗ୍ରହ କରିଛି । ଭାରତ ପକ୍ଷରୁ ଓପନିଂ ଆରମ୍ଭ କରିଥିବା ରାହୁଲ ପ୍ରଥମ ଓଭରରେ ୦ ରନରେ ଜେମ୍ସ ଆଣ୍ଡରସନଙ୍କ ଶିକାର ହୋଇଥିଲେ । ପରେ ଚେତ୍ତେଶ୍ୱର ପୂଜାରା ମଧ୍ୟ ବେଶି ସମୟ ତିଷ୍ଠି ପାରି ନଥିଲେ । ସେ ମାତ୍ର ୧ ରନ କରି ୫ତମ ଓଭରରେ ଆଣ୍ଡରସନଙ୍କ ବୋଲେରେ କ୍ୟାଚ ଆଉଟ ହୋଇଥିଲେ । ଏହା ପରେ ଭାରତର ଅଧିନାୟକ ବିରାଟ କୋହଲି ପଡିଆକୁ ଆସିଥିଲେ । ସେ ରୋହିତ ଶର୍ମାଙ୍କ ସହ ମିଶି ପାଳି ସମ୍ଭାଳିଥିଲେ ହେଁ ବ୍ୟକ୍ତିଗତ ୭ ରନ କରି ଆଣ୍ଡରସନଙ୍କ ଶିକାର ହୋଇଥିଲେ । ଏହାପରେ ରୋହିତଙ୍କୁ ସାଥି ଦେବା ପାଇଁ ଆଜିଙ୍କ୍ୟ ରାହାଣେ ଆସିଥିଲେ । ଉଭୟେ ମିଶି ରନ ସ୍କୋର କିଛିଟା ଆଗକୁ ନେଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ରାହାଣେ ମଧ୍ୟ ବେଶି ସମୟ ତିଷ୍ଠି ନ ପାରି ବ୍ୟକ୍ତିଗତ ୧୮ ରନ କରି ରବିନସନଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିଆନ ଫେରିଥିଲେ । ଅନ୍ୟପକ୍ଷରେ ରୋହିତ ୧୫ ରନ କରି କ୍ରିଜରେ ରହିଛନ୍ତି ।
ଲଗାତାର ୮ମ ଥର ଟସ୍ ହାରିଥିବା ବିରାଟ କୋହଲି ଶେଷରେ ଲିଡ୍ସ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ ଖେଳାଯାଇଥିବା ଟେଷ୍ଟରେ ଟସ୍ ଜିତିଥିଲେ। ଏହା ପରେ କୋହଲି ଲଗାତର ଟସ୍ ହାରିଥିଲେ। ତୃତୀୟ ଟେଷ୍ଟରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଲର୍ଡ୍ସ ଟେଷ୍ଟ ଖେଳିଥିବା ଚୂଡ଼ାନ୍ତ ଏକାଦଶ ସହ ଭାରତ ମଇଦାନକୁ ଓହ୍ଲାଇଛି। ସେହିପରି ଇଂଲଣ୍ଡ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଉଟ୍ ଅଫ୍ ଫର୍ମରେ ଥିବା ଡମ୍ ସିବଲେଙ୍କ ସ୍ଥାନରେ ଡାୱିଡ୍ ମଲାନ୍ ଓ ଆହତ କାରଣରୁ ବାଦ୍ ପଡ଼ିଥିବା ମାର୍କ ଉଡଙ୍କ ବଦଳରେ କ୍ରେଗ୍ ଓଭରଟନଙ୍କୁ ସୁଯୋଗ ମିଳିଛି। ସୂଚନା ଯେ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ହୋଇଥିଲା। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ ରନର ଟାର୍ଗେଟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ପଞ୍ଚମ ଦିବସ ଖେଳକୁ ବର୍ଷା ଧୋଇ ଦେଇଥିଲା, ଯେଉଁକାରଣରୁ ମ୍ୟାଚକୁ ଡ୍ର’ ଘୋଷିତ କରାଯାଇଥିଲା। ସେହିପରି ଲର୍ଡ୍ସ ଟେଷ୍ଟକୁ ଭାରତ ୧୫୨ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି।