ଆଜି ଟୋକିଓ ପାରାଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବ
ଟୋକିଓ : ମହାମାରୀ କରୋନା କଟକଣା ମଧ୍ୟରେ ଆସନ୍ତା ବୁଧବାର ଠାରୁ ଆରମ୍ଭ ହେଉଛି ଟୋକିଓ ପାରାଲିମ୍ପିକ୍ସର ୧୬ଶ ସଂସ୍କରଣ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଠାରୁ ଟୋକିଓ ପାରାଲିମ୍ପିକ୍ସ ଆୟୋଜନ ହେବ। ଏହି ଦିନ ଜାତୀୟ ଅଲିମ୍ପିକ୍ସ ଷ୍ଟାଡିୟମରେ ନିରାଡ଼ମ୍ବର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଏବେ ବଢ଼ି ଚାଲିଥିବା ବେଳେ ଏହି କ୍ରୀଡ଼ାର ଆୟୋଜନ ନିଶ୍ଚୟ ଏକ ଆହ୍ୱାନ। ମଙ୍ଗଳବାରରୁ କ୍ରୀଡ଼ା ଆୟୋଜନ ହେଉଥିବା ବେଳେ ସନ୍ଧ୍ୟାରେ ଏକ ସଂକ୍ଷିପ୍ତ ଉଦ୍ଘାଟନୀ ଉତ୍ସବ ସହ କ୍ରୀଡ଼ାର ଶୁଭାରମ୍ଭ ହେବ। ଜାପାନ ସମ୍ରାଟ ନାରୁହିତୋ କ୍ରୀଡ଼ାର ଉଦ୍ଘାଟନ ଘୋଷଣା କରିବେ। ଏହି କ୍ରୀଡ଼ା ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ଶାରୀରିକ ଓ ମାନସିକ ଭାବେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭ ୧୯୬୦ (ରୋମ୍)ରୁ ଆୟୋଜନ ହୋଇଆସୁଛି। ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଯେଉଁ ସହରରେ ଆୟୋଜନ ହୋଇଥାଏ; ସେଠାରେ ସମାନ୍ତରାଳ ଭାବେ ଏହି କ୍ରୀଡ଼ା ଆୟୋଜନ ହୋଇଥାଏ। ମାନସିକ, ଶାରୀରିକ ଓ ଦୃଷ୍ଟିବାଧିତଙ୍କ ପାଇଁ ଏହି କ୍ରୀଡ଼ା ଉଦ୍ଦିଷ୍ଟ।
ଅଲିମ୍ପିକ୍ସ ପରେ ପାରାଲିମ୍ପକ୍ସ ମଧ୍ୟ ଖାଲି ଷ୍ଟାଡିୟମ୍ରେ ଖେଳାଯିବ। ପାରାଲିମ୍ପିକ୍ସ ହୋଇଥିଲେ ମଧ୍ୟ ଏଥିରେ ପଦକ ଜିତିବା ଅଲିମ୍ପିକ୍ସ ପଦକଠାରୁ କୌଣସି ଗୁଣରେ କମ୍ ନୁହେଁ। ୨୦୦୪ ଏଥେନ୍ସ ପାରାଲିମ୍ପିକ୍ସଠାରୁ ୨୦୧୬ ରିଓ ପାରାଲିମ୍ପିକ୍ସ ପର୍ଯ୍ୟନ୍ତ ପଦକ ତାଲିକାରେ ଚୀନ୍ ଶୀର୍ଷରେ ରହିଆସିଛି। ଗତ ପାରାଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ୍ ୨ୟ, ୟୁକ୍ରେନ୍ ୩ୟ, ଆମେରିକା ୪ର୍ଥ ଓ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ରହିଥିଲେ। ବିଶ୍ବର ପ୍ରଥମ ସହର ଭାବେ ଟୋକିଓ ୨ୟ ଥର ପାଇଁ ପାରାଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଛି। ଏଥିରେ ୧୬୨ଟି ଦେଶ ଓ ଏକ ଶରଣାର୍ଥୀ ଦଳରୁ ମୋଟ ୪,୫୩୭ କ୍ରୀଡ଼ାବିତ୍ ଭାଗ ନେଉଛନ୍ତି। ସେମାନେ ୨୨ଟି କ୍ରୀଡ଼ାର ୫୪୦ଟି ଇଭେଣ୍ଟରେ ପ୍ରତିଯୋଗିତା କରିବେ। ଅଲିମ୍ପିକ୍ସ ପାଇଁ ବ୍ୟବହୃତ କ୍ରୀଡ଼ାଙ୍ଗନରେ ପାରାଲିମ୍ପିକ୍ସର ପ୍ରତିଯୋଗିତା ହେବ। ଏଥର ୨ଟି ପ୍ରମୁଖ ନୂଆ କ୍ରୀଡ଼ା ଭାବେ ତାଏେକ୍ବାଣ୍ଡୋ ଓ ବ୍ୟାଡ୍ମିଣ୍ଟନ ପଦାର୍ପଣ କରିବାକୁ ଯାଉଛନ୍ତି। ୨୦୧୬ରେ ଭାରତ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୪ଟି ପଦକ ପାଇ ୪୩ତମ ସ୍ଥାନରେ ଥିଲା। ଭାରତ ଏହି ୪ଟିଯାକ ପଦକ ଦୌଡ଼କୁଦରେ ଜିତିଥିଲା। ମାରିୟାପ୍ପାନ ଥାଙ୍ଗାଭେଲୁ ହାଇଜମ୍ପ୍ରେ ଓ ଦେବେନ୍ଦ୍ର ଝାଝାରିଆ ଜାଭେଲିନ୍ ଥ୍ରୋ’ରେ ସ୍ବର୍ଣ୍ଣପଦକ ଜିତିଥିଲେ। ଦୀପା ମଲିକ ମହିଳା ସଟ୍ପୁଟରେ ରୌପ୍ୟ ଓ ବରୁଣ ସିଂହ ଭଟ୍ଟି ହାଇଜମ୍ପ୍ରେ କାଂସ୍ୟ ପଦକ ଜିତିଥିଲେ। ଦେବେନ୍ଦ୍ର ଝାଝାରିଆ ୨୦୦୪ ଓ ୨୦୧୬ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ। ଏହି କ୍ରୀଡ଼ାରେ ଭାରତର ୫୪ ଜଣ ପ୍ରତିଯୋଗୀ ଭାଗନେବେ; ଯାହା ପାରାଲିମ୍ପିକ୍ସ ଇତିହାସରେ ଅଦ୍ୟାବଧି ସର୍ବାଧିକ। ପାରାଲିମ୍ପିକ୍ସ ଇତିହାସରେ ଏଥର ଭାରତ ସର୍ବାଧିକ ପଦକ ଜିତିବ ବୋଲି ଆଶା କରାଯାଉଛି। ବିଶେଷକରି ଦୌଡ଼କୁଦରେ ଭାରତ ଏକାଧିକ ପଦକ ଜିତିପାରେ। ଏଥର ପ୍ରଥମଥର ବ୍ୟାଡ୍ମିଣ୍ଟନ ସାମିଲ ହୋଇଥିବା ବେଳେ ଏସ୍ଏଲ-୩ ପୁରୁଷ ବ୍ୟାଡ୍ମିଣ୍ଟନରେ ଓଡ଼ିଶାର ପ୍ରମୋଦ ଭଗତ ପଦକ ଜିତିବାର ବହୁତ ସମ୍ଭାବନା ରହିଛି।
ସୂଚନା ଯେ, ଟୋକିଓ ପାରାଲିମ୍ପିକ୍ସରେ ୪୦ଜଣ ପୁରୁଷ ଓ ୧୪ଜଣ ମହିଳାଙ୍କ ସମେତ ୫୪ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ତୃତୀୟ ଦଫାରେ ଟେବୁଲଟେନିସ, ଶକ୍ତିଉତ୍ତୋଳନ ଓ ତାଏକୋଣ୍ଡୋ ଖେଳାଳିମାନେ ଟୋକିଓରେ ପହଞ୍ଚିଛନ୍ତି। ଗୁଜରାଟର ପାରା ଟେବୁଲଟେନିସ ଖେଳାଳି ଭବାନୀ ପଟେଲ ଓ ସୋନାଲବେନ୍ ପଟେଲ ଅଂଶଗ୍ରହଣ କରିବେ। ଭବାନୀ ହ୍ବିଲଚେୟାର କ୍ଲାସ-୪ କାଟାଗୋରୀ ଓ ସୋନାଲବେନ୍ କ୍ଳାସ-୩ ମହିଳା ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ। ଉଭୟଙ୍କ ପ୍ରତିଯୋଗିତା ଅଗଷ୍ଟ ୨୫ରୁ ଆରମ୍ଭ ହେବ। ସେହିପରି ତାଏେକ୍ବାଣ୍ଡୋରେ ୨୧ ବର୍ଷୀୟା ଅରୁଣା ତନୱାର ୪୯ କିଗ୍ରା କେ୪୪ ବିଭାଗରେ ଅଂଶଗ୍ରହଣ କରିବେ। ପାରା ଶକ୍ତିଉତ୍ତୋଳକ ଜୟ ଦୀପ୍ ପୁରୁଷ ୬୫ କିଗ୍ରାରେ ଓ ସାକିନା ମହିଳା ୫୦ କିଗ୍ରା ବର୍ଗରେ ଅଂଶଗ୍ରହଣ କରି କରିବେ। ଟୋକିଓ ପାରାଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ପାରା କମିଟି ଅଫ ଇଣ୍ଡିଆ ସଭାପତି ଦୀପା ମଲିକ ଓ ଚିଫ ଡି ମିଶନ ଦୃଢତାର ସହିତ କହିଛନ୍ତି। ପ୍ରତିଯୋଗିତାରେ ଭାରତରୁ ୪୦ଜଣ ପୁରୁଷ ଓ ୧୪ଜଣ ମହିଳାଙ୍କ ସମେତ ମୋଟ ୫୪ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତ୍ମାନଙ୍କ ମଧ୍ୟରୁ ଏକାଧିକ କ୍ରୀଡ଼ାବିତ୍ ପଦକ ଆଶା ରଖିଛନ୍ତି। କ୍ଲବ ଥ୍ରୋ ଏଫ୍୫୧ରେ ଧରମବୀର ନୈନ, ଏଫ୍୫୨ ଡିସ୍କସ ଥ୍ରୋ ରେ ବିନୋଦ କୁମାର, ଟି୪୭ ଉଚ୍ଚଡିଅାଁରେ ରାମ ପାଲ୍, ଟି୬୩ ହାଇଜମ୍ପରେ ମାରିୟାପ୍ପାନ ଥାଙ୍ଗାଭାଲୁ,ଟି୬୪ ଉଚ୍ଚଡିଆାଁରେ ପ୍ରବୀଣ କୁମାର, ଏଫ୍୪୬ ପୁରୁଷ ଜାଭେଲିନ୍ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ, ଏଫ୍୬୪ ଜାଭେଲିନ ଥ୍ରୋ ରେ ସନ୍ଦୀପ ଚୌଧୁରୀ, ଏସ୍ଏଲ-୩ ପୁରୁଷ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନରେ ପ୍ରମୋଦ ଭଗତ, ମନୋଜ ସରକାର, ଏସ୍ଏଲ-୪ ପୁରୁଷ ବ୍ୟାଡ଼ମିଣ୍ଟନରେ ତରୁଣ ଧିଲନ, ମହିଳା ଏସ୍ଏଲ-୪ ସିଙ୍ଗଲ୍ସ ବ୍ୟାଡ଼ମିଣ୍ଟନରେ ପାରୁଲ ପାରମର, ସିଙ୍ଗଲ୍ସ ମହିଳା ଏସ୍ୟୁ-୫ ବ୍ୟାଡ଼ମିଣ୍ଟନରେ ପଲ୍ଲକ କୋହଲି,ପୁରୁଷ ୬୫ କିଗ୍ରା ଶକ୍ତିଉତ୍ତୋଳନରେ ଜୟଦୀପ୍ ଦେସୱାଲ, ମହିଳା ୫୦ କିଗ୍ରା ଶକ୍ତିଉତ୍ତୋଳନରେ ସାକିନା ଖାତୁନ, ମହିଳା ଭିଏଲ-୨ କାନୋଇଂରେ ପ୍ରାଚୀ ଯାଦବ, ବନ୍ଧୁକଚାଳନା ପୁରୁଷ ବର୍ଗରେ ମନୀଷ ନରୱାଲ, ଦୀପେନ୍ଦର ସିଂହ, ମହିଳାରେ ରୁବିନା ଫ୍ରାନ୍ସିସ୍, ଅଭାନୀ ଲେଖହରା ,ତାଏକ୍ବାଣ୍ଡୋ ମହିଳା ବିଭାଗରେ ଅରୁଣା ତନୱାର ପ୍ରମୁଖଙ୍କ ଉପରେ ନଜର ରହିବ।