ମରୁଡ଼ି ଆଡ଼କୁ ମୁହାଁଉଛି ଓଡ଼ିଶା !
- ୩୧% କମ ବୃଷ୍ଟିପାତ, ୨୭ଟି ଜିଲାରେ ନିଅଣ୍ଟିଆ ବର୍ଷା : ଆଇଏମଡି
ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ନିଅଣ୍ଟିଆ ବର୍ଷା। ନିଅଣ୍ଟିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ଫଳରେ ମରୁଡ଼ି ଆଡ଼କୁ ମୁହାଁଉଛି ଓଡ଼ିଶା । ବର୍ଷା ନହେଲେ ସାଂଘାତିକ ହୋଇପାରେ ସ୍ଥିତି । ଆଗକୁ ସ୍ଥିତି କଣ ହେବ ତାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ସେହିପରି ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ହୋଇଥିବା ନେଇ ପାଣିପାଗ ବିଭାଗ କହିଛି । ପୁଣି ଆସନ୍ତା କିଛି ଦିନ ପାଇଁ ରାଜ୍ୟରେ ଶୁଖିଲା ପାଗ ରହିବ । ଏହା ନିଅଣ୍ଟିଆ ପରିମାଣକୁ ଆହୁରି ବଢାଇବ । ଅନ୍ୟପକ୍ଷରେ ଆଗକୁ ମଧ୍ୟ ଯେ ଭଲ ବର୍ଷା ହେବ ସେ ନେଇ କୌଣସି ଭରସା ଦେଇପାରୁନି ପାଣିପାଗ ବିଭାଗ ।
ଏହି ପରିପ୍ରେକ୍ଷୀରେ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ଅଗଷ୍ଟ ୨୩ ସୁଦ୍ଧା ମାତ୍ର ୫୮୪ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ଠାରୁ ୩୧% ନିଅଣ୍ଟ । ଓଡ଼ିଶାର ମୋଟ ୩୦ ଜିଲା ମଧ୍ୟରୁ ୨୭ଟି ଜିଲାରେ ବର୍ଷା ନିଅଣ୍ଟ ରହିଛି । ଏସବୁ ଜିଲାରେ ବର୍ଷା ନିଅଣ୍ଟ ପରିମାଣ ୫୯%ରୁ ୨୦% ମଧ୍ୟରେ ରହିଛି । କେବଳ ୩ଟି ଜିଲା ମାଲକାନଗିରି, କୋରାପୁଟ ଓ ନୂଆପଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି ।