ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ
ଭୁବନେଶ୍ୱର : ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆଜିଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ସାମାଜିକ ଦୂରତା ସହ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁପାଳନ ହେବ । ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଶେଷ ହେବ । ଏଥିପାଇଁ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ପ୍ରତି ବିଷୟର ପରୀକ୍ଷା ୯୦ ମିନିଟ୍ ଅବଧିର ହେବ ଏବଂ ପ୍ରତ୍ୟେକ ଦିନ ୩ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ପ୍ରତ୍ୟେକ ସିଟିଂ ମଧ୍ୟରେ ଏକ ଘଣ୍ଟାର ବ୍ୟବଧାନ ରହିବ । ଏହି ସମୟରେ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରିବାକୁ କୁହାଯାଇଛି।
ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । ଦ୍ଵିତୀୟ ସିଟିଂ ୧୨ଟା ୩୦ରୁ ୨ଟା ଓ ତୃତୀୟ ସିଟିଂ ୩ଟାରୁ ଆରମ୍ଭ ହୋଇ ୪ଟା ୩୦ରେ ଶେଷ ହେବ । ଅକ୍ଟୋବର ୧୨ ତାରିଖରେ ବିଭାଗ ଅନୁଯାୟୀ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅକ୍ଟୋବର ୧୭ପର୍ଯ୍ୟନ୍ତ ଚଏସ୍ ଫିଲିଂ କରିପାରିବେ ଛାତ୍ରଛାତ୍ରୀ । ୨୨ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ୍ ଆଲଟମେଣ୍ଟ୍ ପ୍ରକାଶ ପାଇବ। ୨୫ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନଲାଇନ୍ରେ ଫି’ ଦାଖଲ କରିବେ । ନଭେମ୍ବର ୧୨ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ ବୋଲି ସାମ୍ସ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି ।