ବାଲେଶ୍ୱର : ଅନିୟମିତତାର ଚରମ ସୀମାରେ ମ୍ୟୁନିସିପାଲିଟିି
- ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ବେହାଲ ବାଲେଶ୍ୱର, ତାଲା ପକାଇ ରଣହୁଙ୍କାର ଦେଲା ବିଜେପି
- ପ୍ରଶାସନ ଏଠି କୁମ୍ଭକର୍ଣ୍ଣ ନିଦ୍ରାରେ, ସାଧାରଣ ଲୋକେ ଗୁହାରି କରିବେ କାହାକୁ?
- କେନ୍ଦ୍ର ସରକାର ବାଲେଶ୍ୱର ମ୍ୟୁନିସିପାଲଟିକୁ କୋଟି କୋଟି ଟଙ୍କା ଦେଉଥିବା ବେଳେ ସେ ଟଙ୍କା ଯାଉଛି କୁଆଡେ?
- କୁଢକୁଢ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ବାଲେଶ୍ୱର ସହରର ଏ ଅବସ୍ଥା ପାଇଁ ଦାୟୀ କିଏ?
- ବାଲେଶ୍ୱର ସହରରେ ସରକାରୀ କୃତ୍ରିମ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ
ବାଲେଶ୍ୱର : ବାଲେଶ୍ୱର ପୌରପାଳିକାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ବ୍ୟାପକ ଅନିୟମିତତା ବାବଦରେ ବୁଧବାର ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ଯୁବନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ବାଲେଶ୍ୱର ମ୍ୟୁନିସିପାଲିଟି ସମ୍ମୁଖରେ ଗଣଧାରଣା ଦେଇଥିଲା । ସାମ୍ପ୍ରତିକ ବାଲେଶ୍ୱର ସହରରେ ଜଳ ନିଷ୍କାସନ, ରାସ୍ତାଘାଟ, ପିଇବା ପାଣି, ସଫେଇ ଆଦି ମୌଳିକ ବିଷୟକୁ ନେଇ ବ୍ୟାପକ ସମସ୍ୟା ଉପୁଜିଛି । ଗତ ୧୧ ତାରିଖ ବୁଧବାର ମାତ୍ର ୨ ଘଣ୍ଟାର ବର୍ଷାରେ ବାଲେଶ୍ୱର ସହର ବେହାଲ ହୋଇପଡ଼ିଲା । ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତା ଉପରେ ୫ ଫୁଟର ପାଣି ଚାଲିଲା, ଯାହା ଫଳରେ ଜନଜୀବନ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇପଡିଲା । ସହରର ମୁଖ୍ୟ ପେଣ୍ଠସ୍ଥଳୀ ଫାଣ୍ଡିଛକର ନ୍ୟୁମାର୍କେଟ, କଂଗ୍ରେସ ଗଳି ଅଞ୍ଚଳରେ ଡ୍ରେନର ରକ୍ଷଣାବେକ୍ଷଣା ଅଭାବରୁ ପାଣି ଛାତିଏ ଉଚ୍ଚର ଜମା ହୋଇଥିବା ସହ ଦୋକାନରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।
ସେହିପରି ବାଲେଶ୍ୱର ଡାକ୍ତରଖାନାରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ସେଠାରେ ମଧ୍ୟ ଜଳ ନିଷ୍କାସନ ହୋଇନପାରିବା ସହିତ ସହରର ତଳିଆ ଅଞ୍ଚଳରେ ମଧ୍ୟ ପାଣି ଜମି ରହିଥିଲା । ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ପ୍ରତିଷ୍ଠାନ କ୍ଷେତ୍ରରେ ସମଗ୍ର ଉତ୍ତର ଓଡିଶାରେ ବାଲେଶ୍ୱର ଏକ ପ୍ରମୁଖ ସହର ହୋଇଥିବା ବେଳେ ସହରର ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ସହରର ଅଙ୍ଗାରଗଡିଆରୁ ଆଜିମାବାଦ, ମାଣିଖମ୍ବରୁ ମଲ୍ଲିକାଶପୁର, ସୁନହଟରୁ ସହଦେବଖୁଣ୍ଟା, ଗୋପାଳଗାଁରୁ ରାଣୀପାଟଣା ପ୍ରାୟତଃ ୨୮ଟି ଗ୍ରାମ ଅସରାଏ ବର୍ଷାରେ ଜଳବନ୍ଦୀ ହୋଇଯାଇଥିଲା କାରଣ ଏଠାରେ ଜଳ ନିଷ୍କାସନ ସମସ୍ୟା ଅତ୍ୟନ୍ତ ଉତ୍କଟ । ଜବରଦଖଲ ଓ ମରାମତି ଅଭାବରୁ ଇଂରେଜ ଅମଳରୁ ଥିବା ୪ଟି ମହାନାଳର ଚିହ୍ନବର୍ଣ୍ଣ ଏବେ ମିଳୁନାହିଁ । ସହରର ଚାରିଆଡ଼େ କୁଢ଼କୁଢ଼ ଅଳିଆ । ସହରର ସମସ୍ତ ଡ୍ରେନ ପ୍ରାୟତଃ ୬୦ରୁ ୭୦ % ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିବା ବେଳେ ସଫେଇ ପାଇଁ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ଠିକାସଂସ୍ଥା ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ପାଇଁ ବ୍ୟାପକ ବାଟମାରଣା ହେଉଛି ।
ଠିକ୍ ସେମିତି ଅମୃତ ଯୋଜନାରେ ଘରେ ଘରେ ସ୍ୱଚ୍ଛ ପାନୀୟ ଜଳ ପରିବର୍ତ୍ତେ ମିଳୁଛି ଗୋଳିଆ ପାଣି, ଯାହା ସହରର ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପଦକୁ ଠେଲିଦେଇଛି । ଏହିସବୁ ଅବ୍ୟବସ୍ଥାକୁ ଅନୁଧ୍ୟାନ କରି ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ୫ଟି ଦାବୀ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି । ଉକ୍ତ ଦାବୀ ସମୂହ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି ଯାଇଥିବା ଡ୍ରେନର ମରାମତି ସାଙ୍ଗକୁ ଫୁଙ୍ଗୁଳା ଓ ଅଧାପନ୍ତରିଆ ହୋଇପଡିଥିବା ଡ୍ରେନ କାର୍ଯ୍ୟ ପରିସମାପ୍ତି, ମହନାଳ ଓ ଡ୍ରେନର ସମୀକ୍ଷା ଏବଂ ପୁନରୁଦ୍ଧାର, ଦୋକାନ ଘର ଭିତରେ ଉଦବୃତ ବର୍ଷାଜଳ ଓ ନର୍ଦ୍ଦମା ପାଣିର ପ୍ରବେଶ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀଙ୍କୁ ଚିହ୍ନଟ କରି ତୁରନ୍ତ କ୍ଷତିପୂରଣ ଦେବା ଓ ମାର୍କେଟ କମ୍ପେ୍ଲକ୍ସ ମରାମତି କରିବା, ନାଳ ସଫେଇ ନାଁରେ ଠିକାସଂସ୍ଥା ଓ ଅଧିକାରୀଙ୍କ ଦ୍ୱାରା ହୋଇଥିବା ବ୍ୟାପକ ଅର୍ଥ ହରିଲୁଟର ଉଚ୍ଚ ସ୍ତରୀୟ ତଦନ୍ତ ଓ ସାନି ଟେଣ୍ଡର ପାଇଁ ତୁରନ୍ତ ଆଦେଶ, ରାସ୍ତା ଗୁଡିକୁ କଂକ୍ରିଟ କରିବା ନାଁରେ କ୍ରମାଗତ ଭାବେ ଉଚ୍ଚତା ବୃଦ୍ଧି ନକରି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରନ୍ତୁ ଯାହାଫଳରେ ରାସ୍ତା ପାଶ୍ୱର୍ସ୍ଥ ମୂଲ୍ୟବାନ ଗୃହ ବାସ ଅନୁପଯୋଗୀ ହେବା ପରିବର୍ତ୍ତେ ବାସ ଉପଯୋଗୀ ହେବ ଏବଂ ତତ୍ ସହିତ ସହରରେ ଅମୃତ ଯୋଜନାରେ ପାଇପ ଯୋଗେ ଆସୁଥିବା ଗୋଳିଆ ପାଣିରେ ସୁଧାର ଆଣି ସ୍ୱଚ୍ଛ ପାନୀୟ ଯୋଗଇଦେବା ପାଇଁ ନିବେଦନ କରିଛନ୍ତି । ଯଦି ଉକ୍ତ ଦାବୀ ସମୂହ ତୁରନ୍ତ ପୂରଣ କରିବାରେ ପ୍ରଶାସନ ଅସମର୍ଥ ହୁଅନ୍ତି ତାହେଲେ ଭାରତୀୟ ଜନତା ପାର୍ଟି ଲୋକଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ପରେ ଉପ ଜିଲାପାଳ ତଥା ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସମସ୍ୟାର ତୁରନ୍ତ ସମାଧାନ ଲିଖିତ ପ୍ରତିଶୃତ ଦେଲା ପରେ ଧାରଣା ପ୍ରତ୍ୟାହାର ହେଲା ।
ଉକ୍ତ କାର୍ଯ୍ୟକ୍ରମରେ ସୁଜିତ ଦେବ, ଉପେନ୍ଦ୍ର ଶତପଥୀ, ବିବେକ ମହାନ୍ତି, ସଂଯୁକ୍ତା ମହାପାତ୍ର, ରବିନାରାୟଣ ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ସତ୍ୟଜିତ ମିଶ୍ର, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବୈଲୋଚନ ଦାସ, ବିଭୁପଦ ଦାସ, ସନାତନ ବାରିକ, ମନ୍ମଥ ପାତ୍ର, ବିଜୟ ପାଣିଗ୍ରାହୀ, ଦୁକୁଲ ଘୋଡେଇ, ରାଜେନ୍ଦ୍ର ଚାଟାର୍ଜୀ, ଲକ୍ଷ୍ମୀଧର ବେହେରା, ସର୍ବେଶ୍ୱର ପାତ୍ର, ମାଧବାନନ୍ଦ ସାହୁ, ବଳରାମ ପାତ୍ର, ବିବେକାନନ୍ଦ ରାଉତ, ଅଶୋକ ଦାସ, ଜୀବନ ପାତ୍ର, ମଣ୍ଟୁ ପେରିୱାଲ, ବସନ୍ତ ନାୟକ, ଦିଲ୍ଲୀପ ମାଝୀ, ଅଜୟ ବିଶ୍ୱାଳ, ତରୁଣ ବର୍ଦ୍ଦନ, ସୁଶାନ୍ତ ବର୍ଦ୍ଧନ, ବିକାଶ ପାଢୀ, ପ୍ରବୀର ଶଙ୍କର ଦାଶ, ଧୀରଜ ମହାନ୍ତି, ବିନୟ ମହାରଣା, ମନ୍ମୟ ଦାସ, ଅରୁପ ଜେନା, ପବନ କମିଳା, ମୁନା ମହନ୍ତ, ତପନ ବେହେରା, ବିଜୟ ପୃଷ୍ଟି, ଅବିନାଶ ସେଠୀ, ଅଭୟ ସ୍ୱାଇଁ, ଶ୍ରୀୟା ଦାସ, ସୁକାନ୍ତି ଦେବ ଗୋସ୍ୱାମୀ, ସସ୍ମିତା ଦାଶ, ସସ୍ମିତା ଚାନ୍ଦ, ସୁସ୍ମିତା ଶୁକ୍ଳା, ଅନିତା ଦାସ, ଆସାଲତା ବାଡି, ତରୁଲତା ବେହେରା, ମଧୁଶ୍ରୀ ପଣ୍ଡା, ସବିତା ପାଣିଗ୍ରାହୀ, ସ୍ୱର୍ଣ୍ଣପ୍ରିୟା ନାଥ, ଜଳେନ୍ଦ୍ର ସେଠୀ, ସେଖ ହଲିମ, ସେଖ ଅଫଜଲ, ସେଖ ମିରାଜ, ସେଖ ସାବିତ, ଅନିମେଶ ଦେ, ପ୍ରଶାନ୍ତ ପରିଡା, ମାନସ ସାହୁ, ଅଭିଷେକ ପଣ୍ଡା, ଦୁର୍ଗା ବେହେରା, ଦୀପକ ନାଥ, ମଧୂସୁଦନ ମାଝୀ, ଗଣେଶ ସେନ, ସଞ୍ଜୀବ ବେହେରା, ହେମନ୍ତ ମାସନ୍ତ, ସୁମନ ପଣ୍ଡା, ମହେଶ୍ୱର ବେହେରା, ପରମାନନ୍ଦ ରାମ, ସୁରେନ ମାଝୀ, ଭଗୀ ବେହେରା, ମନୋଜ ବେହେରା, ରାଜେଶ ରଣା, ଦିଲ୍ଲୀପ ଦାସ, ବବଲୁ ମିଶ୍ର, ପ୍ରତାପ ପ୍ରଧାନ, ବରୁଣ ତନ୍ମୟ, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।