ବାଲେଶ୍ୱର : ପିତୃପକ୍ଷ ପିଣ୍ଡଦାନ ପାଇଁ‘ଆଇଆରସିଟିସିି’ର ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ
- ସେପ୍ଟେମ୍ବର ୨୫ରୁ ଗୟା ଅଭିମୁଖେ କରିବ ଯାତ୍ରା
ବାଲେଶ୍ୱର : ସ୍ୱଳ୍ପ ଖର୍ଚ୍ଚରେ ମହାଳୟା ପିତୃପକ୍ଷରେ ପିଣ୍ଡଦାନ ତର୍ପଣ ଆଭିମୁଖ୍ୟ ନେଇ ଭାରତୀୟ ରେଳ କ୍ୟାଟେରିଂ ଓ ପର୍ଯ୍ୟଟନ ନିଗମ(ଆଇଆରସିଟିସି) ପକ୍ଷରୁ ଓଡ଼ିଶାବାସୀଙ୍କ ପାଇଁ ‘ତୀର୍ଥଯାତ୍ରୀ ସ୍ୱତନ୍ତ୍ର ପର୍ଯ୍ୟଟକ ଟେନ’ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଆଇଆରସିଟିସି’ ଭୁବନେଶ୍ୱର ଆଞ୍ଚଳିକ ଶାଖା ପରିଚାଳକ ଡକ୍ଟର କ୍ରାନ୍ତି ପି ସାବରକର ଯୋଗଦେଇ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ନିଗମ ପକ୍ଷରୁ ନିଆଯାଇଥିବା ସ୍ୱତନ୍ତ୍ର ଟ୍ରେନରେ ୭ ଦିନିଆ ଯାତ୍ରା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ମାସ ୨୫ ତାରିଖରୁ ଏହି ଟ୍ରେନ ଓଡ଼ିଶାରୁ ବାହାରି ବାରଣାସୀ, ପ୍ରୟାଗରାଜ, ତ୍ରିବେଣୀ ଓ ଗୟା ପ୍ରଭୃତି ସ୍ଥାନରେ ରହିବା ସହ ଅକ୍ଟୋବର ପହିଲାରେ ଫେରିବେ । ମୋଟ ଉପରେ ୬ ରାତି ଓ ୭ଦିନର ଏହି ରିହାତି ଯାତ୍ରାରେ ଯାତ୍ରୀଙ୍କ ରହିବାଠାରୁ ଖିଆପିଆ ଓ ନିରାପତ୍ତା ଦାୟିତ୍ୱ ନିଗମ ବହନ କରିବ । ନିଗମର ସ୍ୱତନ୍ତ୍ର ଟିମ, ମେଡିକାଲ ଟିମ ଯାତ୍ରୀମାନଙ୍କ ସହ ରହିବ । ପ୍ରତିଦିନ ଋଚିପୂର୍ଣ୍ଣ ୨ଟା ମିଲ ଓ ଜଳଖିଆ ବ୍ୟବସ୍ଥା ରହିଛି । ଏହି ରିହାତି ଯାତ୍ରାରେ ଦୁଇ ବର୍ଗର ଯଥା ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ୬, ୬୨୦ ଓ ଥାର୍ଡ଼ ଏସି ଯାତ୍ରୀଙ୍କ ପାଇଁ ମୂଲ୍ୟ ୧୧,୦୩୦ ଟଙ୍କା ରହିଛି । ଟ୍ରେନ ରହଣି ସ୍ଥାନରେ ଯାତ୍ରୀଙ୍କ ପାଇଁ ହେଟେଲ ଓ ଧର୍ମଶାଳା ବ୍ୟବସ୍ଥା କରାଯାଇଛି । ବାରଣାସୀରେ କାଶୀ ବିଶ୍ୱନାଥ ଦର୍ଶନ ଓ ପୂଜା ସାଙ୍ଗକୁ ଗଙ୍ଗା ଆରତୀ, ତ୍ରିବେଣୀ ସଙ୍ଗମ ଏବଂ ଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, କଟକ, ଯାଜପୁର ରୋଡ଼, ଭଦ୍ରକ ଓ ବାଲେଶ୍ୱର ଷ୍ଟେସନରୁ ଯାତ୍ରୀମାନେ ଟ୍ରେନ ଚଢ଼ିବା ସହ ପୁଣି ସେଇଠାରେ ଓହ୍ଲାବେ । ‘ଆଇଆରସିଟିସି’ ୱେବସାଇଟକୁ ଯାଇ ଅନଲାଇନ ଟିକଟ ବୁକ କରିବେ କିମ୍ବା ଏହିସବୁ ଷ୍ଟେସନରେ ସ୍ଥାପନ ହୋଇଥିବା ସ୍ୱତନ୍ତ୍ର କାଉଣ୍ଟରରୁ ଅଫଲାଇନ ଟିକଟ ସଂଗ୍ରହ କରିପାରିବେ ବୋଲି ଡକ୍ଟର ସବରକର କହିଛନ୍ତି । ଅର୍ଥର ଅଭାବ ପାଇଁ ପିତୃପକ୍ଷରେ ଗୟାରେ ପିଣ୍ଡଦାନରୁ ବଞ୍ଚିତ ବ୍ୟକ୍ତିଙ୍କ ପାଇଁ ‘ଆଇଆରସିଟିସି’ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହାର ସୁଯୋଗ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।