ବାଲେଶ୍ୱର : ଜିଲାସ୍ତରୀୟ ସୁନାମୀ ପ୍ରସ୍ତୁତି ଯୋଜନା କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ସଦଭାବନା ସଭାଗୃହରେ ମଙ୍ଗଳବାର ଅପରାହ୍ନରେ ଜିଲାସ୍ତରୀୟ ସୁନାମୀ ପ୍ରସ୍ତୁତି ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ଏହି କର୍ମଶାଳା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଆଇଏଏସ ପ୍ରୋବେସନର କୁନାଲ ଚୌହାନ, ଜିଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଓସଡାମା ସିଷ୍ଟମ ଏକ୍ସପର୍ଟ ଅରବିନ୍ଦ ରାୟଙ୍କ ସମେତ ଜିଲାର ୫ଟି ଉପକୂଳବର୍ତ୍ତୀ ବ୍ଲକର ବିଡିଓ, ନୋଡାଲ ଏନଜିଓ କର୍ମକର୍ତ୍ତା, ଅଗ୍ନିଶମ ଏବଂ ଓଡ୍ରାଫ ଅଧିକାରୀ ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇ ସୁନାମୀ ପ୍ରସ୍ତୁତି ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ଜିଲା ଏକ ତଟବର୍ତ୍ତୀ ଜିଲା ହୋଇଥିବା ବେଳେ ଜିଲାର ୫ଗୋଟି ବ୍ଲକର ୬୩ଟି ଗ୍ରାମକୁ ସୁନାମୀ ପ୍ରବଣ ଗ୍ରାମ ହିସାବରେ ଚିହ୍ନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ସୁନାମୀ ପ୍ରବଣ ଗାଁ ଗୁଡିକରେ ସୁନାମୀ ପ୍ରସ୍ତୁତି ଯୋଜନା ବା ଖସଡ଼ା ପ୍ରସ୍ତୁତ କରାଯିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ଓସଡାମା ବିଶେଷଜ୍ଞ ଅରବିନ୍ଦ ରାୟ ଏହି କର୍ମଶାଳାରେ ସୁନାମୀ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ଦୃଶ୍ୟଶ୍ରାବ୍ୟ ଫଳକ ମାଧ୍ୟମରେ ତଥ୍ୟ ଭିତିକ ଉପସ୍ଥାପନା ରଖିଥିଲେ । ଏହି ସୁନାମୀ ପ୍ରସ୍ତୁତି ଯୋଜନାକୁ ଆଇଓସି / ୟୁନେସ୍କୋ ଦ୍ୱାରା ନିର୍ଦ୍ଧାରିତ ମାନକ ଅନୁଯାୟୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଏମଡି, ଓସଡାମାଙ୍କର ନିର୍ଦ୍ଦେଶ ଥିବା ବୈଠକରେ ସୂଚନା ଦିଆଯାଇଥିଲା । ଶେଷରେ ଓସଡାମା ଜିଲା ପ୍ରକଳ୍ପ ଅଧିକାରୀ ଅବନୀକାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।