କରୋନାର କରୁଣ ଚିତ୍ର : ଚାଲି ଚାଲି ୧୫ଦିନରେ ହାଇଦ୍ରାବାଦରୁ ଓଡ଼ିଶା
କଟକ : ମହାମାରୀ କରୋନାର କରୁଣ ଚିତ୍ର । ହାତରେ ମାତ୍ର ୩ଶହ ଟଙ୍କା । ପାଖରେ ଟଙ୍କା ନଥିବାରୁ ଫଳରେ ଓଳିଏ ଖାଇ ଓଳିଏ ଉପାସ ରହି ଚାଲି ଚାଲି ହାଇଦ୍ରାବାଦରୁ ୧୫ଦିନରେ ଓଡିଶାରେ ପହଞ୍ଚିଲେ ଜଣେ ଶ୍ରମିକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଚାନ୍ଦବାଲି ରାସ୍ତାର ସାଲେପୁର ଠାରେ । ସାଲେପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କର ପାଦ ଫାଟିଯାଇ ରକ୍ତ ବାହାରୁଥିବା ଦୃଶ୍ୟ ଯିଏବି ଦେଖିଛି ସେ ହତବାକ୍ ହୋଇଯାଇଛି । ଆଉ ଏଇ ଶ୍ରମିକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲା ରାଜନଗର ଓଉପଦ ପଞ୍ଚାୟତର ଗୋବିନ୍ଦପୁର ଗାଁର ନିରଞ୍ଜନ ମଲ୍ଲିକ। ନିରଞ୍ଜନ ମଲ୍ଲିକ ସୁଦୂର ହାଇଦ୍ରାବାଦରେ ଯାଇ ଏକ ଠିକାଦାର ପାଖରେ କାମ କରୁଥିଲେ। ହେଲେ ଲକଡାଉନ୍ ହେତୁ ସେ ଘରକୁ ବାହାରିବା ପାଇଁ ଟ୍ରେନରେ ଟିକେଟ୍ କାଟିଥିଲେ। ହେଲେ ଦାଉ ସାଧିଲା ଠିକାଦାର। ସମ୍ପୃକ୍ତ ଠିକାଦାର ଜଣଙ୍କ ନିରଞ୍ଜନ ଘରକୁ ଆସିବା ପାଇଁ କରିଥିବା ଟ୍ରେନ୍ ଟିକଟକୁ ଜୋର ଜବରଦସ୍ତ କ୍ୟାନସେଲ କରିବା ସହ ୭ ମାସର ପାରିଶ୍ରମିକ ମଧ୍ୟ ଦେଇନଥିଲା।
ତେଣୁ ପାଖରେ ଥିବା ମାତ୍ର ୩ ଶହ ଟଙ୍କା ଧରି ସେଠାରୁ କୌଶଳକ୍ରମେ ଖସି ପଳାଇ ଆସିଥିଲେ ଗାଁ ଅଭିମୁଖେ। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାଯ୍ୟ ସହଯୋଗ ଯୋଗାଇବା ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଶ୍ରମିକମାନେ ପାଉଥିବା ନିର୍ଯାତନାରୁ ରକ୍ଷାପାଇ ପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।