ଟୋକିଓ ଅଲିମ୍ପିକ୍ସ : ୪୧ ବର୍ଷ ପରେ ସେମିରେ ଭାରତ
- ପୁରୁଷ ହକିକୁ ବଡ଼ ସଫଳତା, ବ୍ରିଟେନକୁ ୩-୧ରେ ଦେଲା ମାତ୍
ଟୋକିଓ : ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ପହଂଚିଛି । ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି । ଏଥିସହ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି । ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା । ତେବେ ଏହା ପରଠାରୁ ଭାରତ ଥରେ ବି ସେମିକୁ ଉତୀର୍ଣ୍ଣ ହୋଇପାରି ନାହିଁ । ଅନ୍ୟପକ୍ଷରେ ଭାରତୀୟ ମହିଳା ଟିମ୍ ଆସନ୍ତାକାଲି କ୍ୱାର୍ଟର୍ ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ।
ଟୋକିଓ ଅଲିମ୍ପିକର ଦଶମ ଦିନ ଭାରତ ପାଇଁ ଐତିହାସିକ ଦିନ ରହିଛି । ପିଭି ସିନ୍ଧୁ କାଂସ୍ୟ ଜିତି ଭାରତକୁ ଦ୍ୱିତୀୟ ପଦକ ଦେଇଛନ୍ତି । ଏହା ପରେ ପରେ ପୁରୁଷ ହକି ଦଳ ନିଜର ଦମଦାର ପ୍ରଦର୍ଶନ ବଜାୟ ରଖି ଗ୍ରେଟ୍ ବ୍ରିଟେନକୁ ପରାସ୍ତ କରି ଟୋକିଓ ଅଲିମ୍ପିକର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଦଳ ଗ୍ରେଟ୍ ବ୍ରିଟେନକୁ ୩-୧ରେ ମାତ୍ ଦେଇ ଅଲିମ୍ପିକରେ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି । ୧୯୮୦ ପରେ ପ୍ରଥମ ଥର ଭାରତୀୟ ହକି ଦଳ ସେମି ଫାଇନାଲରେ ପହଂଚିଛନ୍ତି । ଭାରତ ପାଇଁ ୭ମ ମିନିଟ୍ରେ ଦିଲପ୍ରୀତ ସିଂହ, ୧୬ତମ ମିନିଟ୍ରେ ଗୁରଜିତ ସିଂହ ଓ ୫୭ତମ ମିନିଟ୍ରେ ହାର୍ଦ୍ଦିକ ସିଂହ ଗୋଲ୍ ଦେଇଥିଲେ । ବ୍ରିଟେନ୍ ପକ୍ଷରୁ ଏକ ମାତ୍ର ଗୋଲ୍ ସାମୁଏଲ ୪୫ତମ ମିନିଟ୍ରେ ଦେଇଥିଲେ ।