ବାଲେଶ୍ୱରରେ ପ୍ରତିଷ୍ଠା ହେବ ଇଥାନଲ ପ୍ଲାଣ୍ଟ!
- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଯୁବନେତା ମାନସ ଦତ୍ତ
- ବାଲେଶ୍ୱରର ବିକାଶରେ ଯୋଡ଼ି ହେବ ଆଉ ଏକ ଫର୍ଦ୍ଦ
- ୮୭୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ଇଥାନଲ ପ୍ଲାଣ୍ଟ
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବ ଭାରତର ବିକାଶରେ ହିଁ ଭାରତ ବିକାଶ ଉକ୍ତିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଖୁବଶୀଘ୍ର ବାଲେଶ୍ୱର ଜିଲାରେ ୮୭୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଇଥାନଲ ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି । ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ।
ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ @narendramodi ଜୀ “ପୂର୍ବୋଦୟ” ର କଳ୍ପନା କରିଛନ୍ତି ।
— Dharmendra Pradhan (@dpradhanbjp) July 31, 2021
ପୂର୍ବରୁ @PetroleumMin ଦ୍ୱାରା ଯୋଜନା କରାଯାଇଥିବା ବାଲେଶ୍ୱରରେ @IndianOilcl , ନବରଙ୍ଗପୁରରେ @HPCL ଏବଂ ଅନୁଗୁଳରେ ବେସରକାରୀ ସଂସ୍ଥା ନିଓ୍ୱଲ୍ଟ ଏନର୍ଜି ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଇଥାନଲ ପ୍ଲାଣ୍ଟକୁ ରାଜ୍ୟ ସରକାର ମଞ୍ଜୁରି ଦେଇଥିବାରୁ ଧନ୍ୟବାଦ।
— Dharmendra Pradhan (@dpradhanbjp) July 31, 2021
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆମ ଚାଷୀ ଭାଇମାନେ ଲାଭାନ୍ୱିତ ହୋଇପାରିବେ ଏବଂ ସ୍ୱଚ୍ଛ-ସବୁଜ ଇନ୍ଧନ ଦ୍ୱାରା ପରିବେଶ ସୁରକ୍ଷିତ ରହିବ । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବା ସହ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହୋଇପାରିବ ।
— Dharmendra Pradhan (@dpradhanbjp) July 31, 2021
ସୂଚନା ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ବିଭାଗର ଦାୟିତ୍ୱରେ ଥିବା ସମୟରେ ଇଥାନଲ ପ୍ଲାଣ୍ଟ ପାଇଁ ପ୍ରସ୍ତାବ ମଞ୍ଜୁର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପ୍ରେରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ସରକାର ଉକ୍ତ ପ୍ଲାଣ୍ଟ କରିବା ପାଇଁ ଇଣ୍ଡିଆନ ଅଏଲ୍କୁ ଅନୁମତି ପ୍ରଦାନ କରିଛନ୍ତି । ଯାହା ବାଲେଶ୍ୱରବାସୀଙ୍କ ପାଇଁ ଏକ ଖୁସିର ବିଷୟ । ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନରେ ଉକ୍ତ ପ୍ଲାଣ୍ଟଟି କାର୍ଯ୍ୟକାରୀ ହେଲେ ବିଶେଷ ଭାବରେ ଚାଷୀ ଭାଇମାନେ ଉପକୃତ ହେବେ ଏବଂ ଶହ ଶହ ଯୁବକ ରୋଜଗାର ପାଇବା ସହ ସ୍ୱଚ୍ଛ ଓ ସବୁଜ ଇନ୍ଧନ ଦ୍ୱାରା ପରିବେଶକୁ ମଧ୍ୟ ସୁରକ୍ଷିତ ରଖିହେବ । ଏହି ଐତିହାସିକ ପଦକ୍ଷେପ ପାଇଁ ଜିଲାବାସୀଙ୍କ ତରଫରୁ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ-ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତ ଶନିବାର ପ୍ରଧାନମନ୍ତ୍ରୀ ଏବଂ ବିଶେଷ ଭାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇବା ସହ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ମହାମାରୀ ଭଳି କଠିନ ସମୟରେ ଜିଲା ତଥା ରାଜ୍ୟରେ ଯେଭଳି ଛୋଟବଡ଼ କଳକାରଖାନା ବନ୍ଦ ହେଇଯାଉଛି, ଠିକ୍ ସେହି ସମୟରେ ଏହି ପ୍ରକଳ୍ପ ଆମ ଜିଲାକୁ ଏକ ନୂତନ ବିକାଶର ଦିଗ ଆଡ଼କୁ ନେଇଯିବ ବୋଲି ଯୁବନେତା ଶ୍ରୀ ଦତ୍ତ ମତପ୍ରକାଶ କରିଛନ୍ତି । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚାଷୀ, ଯୁବକ ତଥା ବ୍ୟବସାୟ ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବା ସହ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହୋଇପାରିବ ।