କଂଗ୍ରେସରେ ଯୋଗ ଦେବେ ପ୍ରଶାନ୍ତ କିଶୋର !
ନୂଆଦିଲ୍ଲୀ : ଆସନ୍ତା ୨୦୨୪ ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାପକ ସ୍ତରରେ ମନ୍ଥନ ଜାରି ରଖିଛି । ଏହି କ୍ରମରେ ଏବେ ରାହୁଲ ଗାନ୍ଧୀ ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି, ଯେଉଁଥିରେ ନିର୍ବଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରିବା ନେଇ ଆଲୋଚନା ହୋଇଥିବା କୁହାଯାଇଛି । ରାଜନୈତିକ ଅଳିନ୍ଦରେ ଏ ନେଇ ଏବେ ଆକଳନର ଜୋର ଧରିଛି। ନିକଟରେ ପ୍ରଶାନ୍ତ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଏହା ପରଠାରୁ କଂଗ୍ରେସରେ ପ୍ରଶାନ୍ତଙ୍କ ଯୋଗଦାନ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏଥିରେ ଆସୁଥିବା ରାହୁଲଙ୍କ ବୈଠକ ସୂଚନା ଏ ନେଇ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଯେଉଁଥିରେ ଦଳରେ ପ୍ରଶାନ୍ତଙ୍କ ସାମିଲ ନେଇ ପାର୍ଟି ନେତାଙ୍କ ରାୟ ମାଗିଥିବାର କୁହାଯାଉଛି। କଂଗ୍ରେସରେ ପ୍ରଶାନ୍ତଙ୍କ ଯୋଗଦାନ ନେଇ ଫୁସରଫାସର ହେଉଛି। ହେଲେ ପାର୍ଟି ପକ୍ଷରୁ ଏନେଇ କିଛି କୁହା ଯାଉନଥିବା ବେଳେ ପ୍ରଶାନ୍ତ ମଧ୍ୟ ପ୍ରସଙ୍ଗରେ ନିରବ ଅଛନ୍ତି। ଗତ ଜୁଲାଇ ୨୨ ତାରିଖ ଦିନ ପାର୍ଟିର ବୈଠକରେ ରାହୁଲ ପ୍ରସଙ୍ଗ ଉତଥାପନ କରିଥିଲେ। ଏହି ବୈଠକରେ ଏ.କେ.ଆଣ୍ଟୋନୀ, ମଲ୍ଲିକାର୍ଜୁନ ଖଡଗେ, କେ.ସି.ବେଣୁଗୋପାଲ, କମଲ ନାଥ ଓ ଅମ୍ବିକା ସୋନି ଆଦି ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚୁଡାନ୍ତ ହୋଇଛି, ହେଲେ ଦଳରେ ତାଙ୍କୁ କେଉଁ ପଦବୀ ମିଳିବ ସେ ନେଇ ସ୍ପଷ୍ଟ ହୋଇପାରି ନାହିଁ । ଜୁଲାଇ ୨୨ ରେ ହୋଇଥିବା ବୈଠକରେ ଯୋଗଦେଇଥିବା ଅନ୍ୟଜଣେ ନେତା କହିଛନ୍ତି କି, ଏବେ ସମୟ ଆସିଛି ନୂଆ ରଣନୀତି ଓ ସମିକରଣକୁ ନେଇ ଦଳ ଭୋଟରମାନଙ୍କ ପାଖରେ ପହଞ୍ଚିବା ଦରକାର । ଏସବୁକୁ ନଜର କଲେ ପ୍ରଶାନ୍ତ କିଶୋର ଦଳ ପାଇଁ ନିଶ୍ଚିନ୍ତ ଭାବେ ଲାଭକାରୀ ହେବେ । ତେବେ ଏଭଳି ଆଲୋଚନା ଭିତରେ କଂଗ୍ରେସ ପାର୍ଟି ଓ ପ୍ରଶାନ୍ତ କିଶୋର ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପରେ ପ୍ରଶାନ୍ତ କିଶୋର ଜାତୀୟ ରାଜନୀତିରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିଛିଦିନ ପୂର୍ବରୁ ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ । ଏହି ବୈଠକରେ ୨୦୨୪ରେ କଂଗ୍ରେସକୁ କିଭଳି ମଜବୁତ କରାଯିବ ତା ଉପରେ ଆଲୋଚନା ହୋଇଥିଲା ।