କେରଳରେ ସଂକ୍ରମଣ ବୃଦ୍ଧି, ଆଜି ଓ ଆସନ୍ତାକାଲି ସମ୍ପୂର୍ଣ୍ଣ ଲକଡାଇନ୍
ତିରୁବନନ୍ତପୁରମ୍ : ଦେଶରେ ମହାମାରୀ କରୋନା ସଂକ୍ରମଣ ହାର କମୁଥିବା ବେଳେ କେରଳରେ ଲଗାତାର ଭାବେ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହାକୁ ରୋକିବା ପାଇଁ ଜୁଲାଇ ୩୧ ଏବଂ ଅଗଷ୍ଟ ୧ ତାରିଖ ୨ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
କେରଳ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାକୁ ବସିଲାଣି। ତେବେ ଚିନ୍ତାର ବିଷୟ ହେଉଛି କେରଳରେ ନୂଆ ସଂକ୍ରମିତଙ୍କ ଗ୍ରାଫ ଲଗାତାର ଭାବେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ୬ ଜଣିଆ କେନ୍ଦ୍ରୀୟ ଟିମ କେରଳ ଗସ୍ତ କରିବେ । ତେବେ ୫୦ ଦିନ ମଧ୍ୟରେ ଦେଶରେ ପ୍ରଥମ ରାଜ୍ୟ ଭାବେ କେରଳରେ ଦୈନିକ ସଂକ୍ରମଣ ୨୦ ହଜାର ଟପିଛି। ରାଜ୍ୟରେ ଟେଷ୍ଟ୍ ପଜିଟିଭ ହାର ୧୨ ପ୍ରତିଶତରୁ ଅଧିକ ରହିଛି। ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ୩୩ ଲକ୍ଷ ଟପିଯାଇଛି। କେରଳରେ ଏଭଳି ଦ୍ରୁତ ସଂକ୍ରମଣ ନେଇ ବିଶେଷଜ୍ଞ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । କେରଳର ବରିଷ୍ଠ ଅଧିକାରୀମାନଙ୍କ ସହ କେନ୍ଦ୍ରର ଆଲୋଚନା ଚାଲିଥିବା ଜଣାପଡ଼ିଛି । ସୂଚନା ଯେ, କେରଳରେ ଟିକାକରଣ ହାର ଅଧିକ ଥିଲେ ମଧ୍ୟ ସେରୋ ପଜିଟିଭ୍ ହାର କମ ଅଛି। ୧୮ରୁ ଉର୍ଦ୍ଧ୍ୱ ପ୍ରାୟ ୨୦.୯ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇସାରିଛନ୍ତି। ଜାତୀୟ ହାରାହାରୀ ୯.୯ ପ୍ରତିଶତ ଠାରୁ ଏହା ଅଧିକ। ତେବେ ଚତୁର୍ଥ ଆଇସିଏମ୍ଆର ସେରୋସର୍ଭେ କହୁଛି ଯେ ରାଜ୍ୟରେ କେବଳ ୪୨.୭ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଛି। ଅନ୍ୟପକ୍ଷେ ଜାତୀୟ ସ୍ତରରେ ୬୭.୬ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ଅଛି।