ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ବିଜୟ ଲକ୍ଷ୍ୟରେ ଉଭୟ ଦଳ
କଲମ୍ବୋ : ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ରବିବାର ଆରମ୍ଭ ହେବ। ୩ଟି ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡ଼ିୟମରେ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଖେଳାଯିବ । ଏଥି ପାଇଁ ଉଭୟ ଅତିଥି ଟିମ୍ ଏବଂ ଘରୋଇ ଦଳ ପ୍ରସ୍ତୁତ ହୋଇଯାଇଛନ୍ତି । ମ୍ୟାଚ ବିଜୟ ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ।
ଏହି ମ୍ୟାଚ୍ରେ ନୂଆ ଖେଳାଳି ଭାବେ ଭାରତର ବରୁଣ ଚକ୍ରବର୍ତ୍ତୀ ଖେଳିବେ। ଏହି ସ୍ପିନରଙ୍କ ବୋଲିଂରେ ବେଶ୍ ବିବିଧତା ରହିଛି। ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ସ’ ଇଂଲଣ୍ଡ ଯିବାର ଥିବାରୁ ଦଳ ମ୍ୟାନେଜମେଣ୍ଟ ଏହି ୨ ଖେଳାଳିଙ୍କୁ ଖେଳାଇ ନ ପାରେ। ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକ୍ୱାଡ୍ଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ପାଣ୍ଡ୍ୟା ଭ୍ରାତା ହାର୍ଦିକ ଓ କ୍ରୁନାଲ ଖେଳିବା ନିଶ୍ଚିତ। ନିକଟରେ ଶେଷ ହୋଇଥିବା ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଛି । ତେଣୁ ଟିମ୍ ଇଣ୍ଡିଆର ମନୋବଳ ବଢ଼ିଯାଇଛି ଯେ, ଟି-୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିବ । କିନ୍ତୁ ଶେଷ ଦିନିକିଆରେ ଶ୍ରୀଲଙ୍କା ୩ ୱିକେଟରେ ଭାରତକୁ ପରାସ୍ତ କରିଥିବାରୁ ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଶିଖର ଧାୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଦଳରେ ୱିକେଟକିପର ଭୂମିକା ତୁଲାଇବେ ଈଷନ କିଷନ । ସେହିପରି ଅନ୍ୟ ଖେଳାଳିମାନେ ହେଲେ ପୃଥ୍ୱୀ ଶ’, ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଦୀପକ ଚାହର, ରାହୁଲ ଚାହର, ୟୁଜବେନ୍ଦ୍ର ଚହଲ, ସଂଜୁ ସାମସନ, କୁଲଦୀପ ଯାଦବ, କ୍ରିଷ୍ଣପା ଗୌତମ, ନୀତିଶ ରାଣା, ନବଦୀପ ସଇନୀ, ଋତୁରାଜ ଗାଇକୱାଡ, ବରୁଣ ଚକ୍ରବର୍ତ୍ତୀ, ଦେବଦୂତ ପଡକଲ, ଚେତନ ସକରିଆ ।