ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ଶାନ୍ତନୁ ସେନ୍ ନିଲମ୍ୱିତ
ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ଗୁଡ଼ିକରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍। ଗୃହ କାର୍ଯ୍ୟ ଚାଲୁଥିବା ସମୟରେ ଗୃହରେ ଅଶୋଭନୀୟ ବ୍ୟବହାର ପାଇଁ ଆଜି ତାଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି ଗୃହ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଅନ୍ୟପକ୍ଷରେ ଶାନ୍ତନୁଙ୍କ ନିଲମ୍ୱନକୁ ରାଜ୍ୟସଭାରେ ବିରୋଧ କରିଛି ଟିଏମସି।
I'm deeply distressed by the course of events in House. Unfortunately, proceedings of the House hit a new low with papers being snatched from the Minister and torn into pieces. Such actions are clear assault on our Parliamentary democracy: Rajya Sabha Chairman M Venkaiah Naidu pic.twitter.com/FIknkyqkLS
— ANI (@ANI) July 23, 2021
ଆଜି ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା ବାବଦରେ କହିଥିଲେ। ସେ କହିଥିଲେ, ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ। ଗୃହରେ କାଗଜ ଚିରି ଫିଙ୍ଗିବା କେବେ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ରର ଗାରିମା ନଷ୍ଟ କରିଛି। ଏହା ପରେ ଅଶୋଭନୀୟ ବ୍ୟବହାର ପାଇଁ ଚଳିତ ମୌସୁମୀ ଅଧିକବେଶନ ଅବଶିଷ୍ଟ ଦିନ ଗୁଡ଼ିକରୁ ଶାନ୍ତନୁ ସେନଙ୍କୁ ନିଲମ୍ୱନ କରାଯାଇଥିବା ସେ ଘୋଷଣା କରିଥିଲେ। ସୂଚନା ଯେ, ଇସ୍ରାଏଲର ଏନଏସଓ ଦ୍ୱାରା ତିଆରି ହୋଇଥିବା ପେଗାସସ ସଫ୍ଟଓ୍ୱୟାରକୁ ବ୍ୟବହାର କରି ଭାରତ ସରକାର ୩୦୦ରୁ ଅଧିକ ଲୋକଙ୍କ ମୋବାଇଲରୁ ଡାଟା ଚୋରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏକ ଓ୍ୱେବ ସାଇଟରେ ପ୍ରକାଶିତ ଖବରକୁ ଆଧାର କରି ବିରୋଧୀ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସରକାର କିନ୍ତୁ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏପରି ଖବର ତିଆରି କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବରେ ଫେକ୍ ନ୍ୟୁଜ ବୋଲି ସରକାର କହିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ। ଏହାପରେ ଗତକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଉତ୍ତର ରଖିଥିଲେ ଆଇଟି ମନ୍ତ୍ରୀ। କିନ୍ତୁ ଟିଏମସି ସାଂସଦ ଶାନ୍ତନୁ ସେନ୍ ମନ୍ତ୍ରୀ ଯେଉଁ ପେପରରୁ ପଢ଼ି ବିବୃତ୍ତି ରଖୁଥିଲେ, ତାକୁ ଛଡାଇ ଆଣି ଗୃହ ମଝିରେ ଚିରି ଦେଇଥିଲେ।