ବାଲେଶ୍ୱର : ୨୦ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ, ଜଣେ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଦିନକୁ ଦିନ ଆଇନଶୃ୍ଙ୍ଖଳା ପରିସ୍ଥିତି ଅବନତି ହେବାରେ ଲାଗିଛି । ଜିଲାରେ ଗୋ-ଚାଲାଣ, ଗଞ୍ଜେଇ, ବ୍ରାଉନ୍ସୁଗର, ବନ୍ଧୁକ କାରବାର ଆଦି ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇପାରୁ ନଥିବାରୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଏହାହିଁ ପ୍ରମୁଖ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଜଳେଶ୍ୱର ଅଞ୍ଚଳରୁ ବ୍ରାଉନ୍ସୁଗର ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଯେ, ବାଲେଶ୍ୱର ଅବକାରୀ ଅଧିକ୍ଷକ ଆସଫ ଅଲ୍ଲୀଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ଅବକାରୀ ଥାନା ଆଇଆଇସି ଦେବେନ୍ଦ୍ର କୁମାର ବେହେରାଙ୍କ ସହିତ ୫ଜଣିଆ ଟିମ୍ ଗୁରୁବାର ଜାତୀୟ ରାଜପଥ ୬୦ର ଜଳେଶ୍ୱର ନିକଟ ଚାଲନ୍ତି ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୋଣ୍ଡା ବାଇକ୍ (ନଂ. ଓଡ଼ି୧୧ଏଫ-୯୩୮୬)କୁ ସନ୍ଦେହଭାବେ ଅଟକାଇଥିଲେ । ଯାଞ୍ଚକଲାପରେ ତା ନିକଟରେ ଥିବା ପ୍ଲାଷ୍ଟିକ୍ ଡବାରେ ୨୦ଲକ୍ଷ ଟଙ୍କାର ୨୦୦ ଗ୍ରାମର ବ୍ରାଉନ୍ସୁଗର ଜବତ କରାଯାଇଥିଲା । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମୟୂରଭଞ୍ଜ ଜିଲା ବାରିପଦା ସହର ୧୭ ୱାର୍ଡର ସଞ୍ଜୟ କୁମାର ସିଂ(୩୧) ବୋଲି ଜଣାପଡ଼ିଛି । ଏନେଇ ଏକ ମାମଲା (ନଂ. ୫୫ ।୨୧) ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହା ଅବକାରୀ ବିଭାଗର ବଡ ସଫଳତା ବୋଲି କହୁଯାଉଥିବାବେଳେ ଚଢ଼ାଉରେ ରାମଚନ୍ଦ୍ର ମହାନ୍ତି, ଶଶୀଭୂଷଣ ସ୍ୱାଇଁ, ରାଜୀବ କୁମାର ଭଞ୍ଜ, ପିଙ୍କି ମାରାଣ୍ଡି ସାମିଲ ଥିଲେ ।