ଦେଶରେ ଆଉ ୩୮,୧୬୪ କରୋନା ସଂକ୍ରମିତ ଚିହ୍ନଟ ଓ ୪୯୯ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୫୦୦ ତଳକୁ ଖସିଛି। ଦୈନିକ ସଂକ୍ରମଣ ହାର ଦେଶରେ ୨.୬୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୮% ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ଦେଶରେ ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୪.୫୪ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହିଭଳି ରବିବାର ସଂଧ୍ୟା ସୁଦ୍ଧା ମୋଟ ୩,୦୩,୦୮,୪୫୬ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ଆରୋଗ୍ୟ ହାର ୯୭.୩୨% ରହିଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୪୦.୬୪ କୋଟି ପାନ ଟିକା ଦିଆଯାଇସାରିଥିବା ଜଣାଯାଇଛି।
ସୋମବାର ଗତ ୨୪ଘଣ୍ଟାରେ ୩୮ହଜାର୧୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୮ହଜାର ୬୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୧ଲକ୍ଷ ୪୪ହଜାର ୨୨୯କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୧୪ହଜାର ୧୦୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩ଲକ୍ଷ ୮ହଜାର ୪୫୬ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୨୧ହଜାର ୬୬୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।