ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡ଼ିଲେ ବିରୋଧୀ ବିଧାୟକ
ଭୁବନେଶ୍ବର: ବିଧାନସଭାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡ଼ିଛନ୍ତି ବିରୋଧୀ ବିଧାୟକ। ଲୋକାୟୁକ୍ତ ସଂଶୋଧନ ବିଲକୁ ବିରୋଧ କରି ଏଭଳି କରିଛନ୍ତି ବିରୋଧୀ ସଦସ୍ୟ। ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବାରୁ ଏଭଳି ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ। ବିନା ଆଲୋଚନାରେ ବିଲ୍ ପାସ୍ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିବାର ବି ଅଭିଯୋଗ ହୋଇଛି। ହୋହଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ । ତେବେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ ଆସିଛି । ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେବା ଦାବି କରି ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ସହ କଲମ, ହେଡଫୋନ୍ ଓ ଚପଲ ଫିଙ୍ଗିଥିଲେ। ଗୃହରେ ଅସ୍ୱାଭାବିକ ପରିସ୍ଥିତି ହେବାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ, ଖଣି ଦୁର୍ନୀତି ଆଲୋଚନା ହେଲା ନାହିଁ। ଧାନ ପ୍ରସଙ୍ଗରେ ଆଲୋଚନା ହେଲା ନାହିଁ। ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଲେନି। ଆଲୋଚନା ନକରି ଅଗଣତାନ୍ତ୍ରିକ ଉପାୟରେ ବିଲ୍ ପାରିତ କରାଯାଉଛି। ବାଚସ୍ପତି ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବେ ବିଧାନସଭା ଚଳାଉଥିବାରୁ ପ୍ରତିବାଦ କରାଯାଇଛି। ଏହା ଅଗଣତାନ୍ତ୍ରିକ ଓ ପରିତାପର ବିଷୟ। ପ୍ରତିବାଦ କରାଯିବା ସତ୍ତ୍ୱେ ବାଚସ୍ପତି ଶୁଣିନଥିଲେ। ମଣିଷକୁ ଯେତେବେଳେ ଅଧିକ ବାଧିବ ସେ ପ୍ରତିବାଦ ହିଁ କରିବ। ଏ ବାଚସ୍ପତି ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ। ଚପଲ କିଏ ପିଙ୍ଗିଛି ତାହା ସେ ଜାଣିନାହାନ୍ତି। ସେ ଗୃହ ଭିତରେ ନିଜର କଲମ ଫିଙ୍ଗିଥିଲେ ବୋଲି ଶ୍ରୀ ସେଠୀ କହିଛନ୍ତି।