ଆହତ ଜବାନଙ୍କୁ ଭେଟିଲେ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ ଡିଜିପି
ଭୁବନେଶ୍ୱର : କନ୍ଧମାଳ ଗୋଚ୍ଛାପଡ଼ା ଥାନା ଉମା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିମାଡ ଫଳରେ ଆହତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ଏସ୍ଓଜିର ଦୁଇଜଣ ଜବାନଙ୍କୁ ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
ଉଲ୍ଲେଖନୀୟ ଯେ ଗତକାଲି କନ୍ଧମାଳ ଗୋଚ୍ଛାପଡ଼ା ଥାନା ଉମା ଜଙ୍ଗଲରେ କମ୍ବିଂ ଅପରେସନରେ ଯାଇଥିବା ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ ଲାଲବାହିନୀ । ଗୁଳିବାଜି ଗୁରୁତର ଆହତ ହୋଇଥିଲେ ଏସ୍ଓଜିର ଏ ଦୁଇ କମାଣ୍ଡୋ । ସିଆରପିଏଫ ଯବାବନ୍ ମାନେ ତୁରନ୍ତ ଉଭୟଙ୍କୁ ସୀମାରେ ଥିବା ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ । ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା । ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକପ୍ଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଂଚିଥିଲେ । ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ ।