ବିରୋଧ ପରେ ନଇଁଲା ଇସ୍କନ, ବନ୍ଦ ହେଲା ଅଦିନିଆ ରଥଯାତ୍ରା
ଭୁବନେଶ୍ୱର : ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଅଦିନ ରଥଯାତ୍ରା ବାତିଲ । ବିରୋଧ ପରେ ନଇଁଲା ଇସ୍କନ । ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଥିବା ଜଗନ୍ନାଥ ପ୍ରେମୀ ଇସ୍କନର ଏହି କାର୍ଯ୍ୟକୁ ଘୋର ବିରୋଧ କରିବା ପରେ ଇସ୍କନର ଚେତା ପଶିଛି। ଯାହା ପରେ ଅଦିନ ରଥଯାତ୍ରା ହେବନାହିଁ ବୋଲି ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦ ସୂଚନା ଦେଇଛି। ଆମେରିକା ହ୍ୟୁଷ୍ଟନରେ ରଥଯାତ୍ରା ବଦଳରେ ନିତ୍ୟାଇ ଗୌର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହେବ ବୋଲି କହିଛି ଇସ୍କନ ପରିଚାଳନା ପରିଷଦ।
ସୂଚନା ଯେ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଇସ୍କନ ଅପଚେଷ୍ଟା କରିଥିଲା। ଅଦିନରେ ରଥଯାତ୍ରା ନ କରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ପୁଣି ଥରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା ଇସ୍କନ।
ସୂଚନାଯୋଗ୍ୟ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଓହ୍ଲାଇ ଆସନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଭାଇ, ଭଉଣୀଙ୍କୁ ସାଥିରେ ଧରି ନବଦାନାତ୍ମକ ଯାତ୍ରାରେ ଯାଆନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର। ତେବେ ଏହାର ତିଥି ଧାର୍ଯ୍ୟ, ଯାହା ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଦ୍ୱାରା ମଧ୍ୟ ନିର୍ଦ୍ଦେଶିତ। କିନ୍ତୁ ଆମେରିକାର ହଷ୍ଟନ ସହରରେ ଆସନ୍ତା ନଭେମ୍ୱର ୯ରେ ଲିଜନ ପାର୍କରେ ଇସ୍କନ ପକ୍ଷରୁ ରଥଯାତ୍ରା ହେବାକୁ ଯାଇଛି ବୋଲି ଘୋଷଣା କରାଯାଇଥିଲା। ଯାହା ନେଇ ଇସ୍କନର ହଷ୍ଟନ ଶାଖା ପକ୍ଷରୁ ନିଜ ୱେବ୍ସାଇଟ୍ ଓ ସାମାଜିକ ଗଣମାଧ୍ୟମରେ ଏହି ଅଦିନିଆ ରଥଯାତ୍ରା ସମ୍ପର୍କିତ ପୋଷ୍ଟ ବି କରିଥିଲେ। ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ, ସେବାୟତ ବିରୋଧ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ଇସ୍କନର ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତ ମହାରାଜା ଦିବ୍ୟସିଂହ ଦେବ। ଏପରି ଅଦିନ ରଥ ଯାତ୍ରା ବନ୍ଦ କରିବାକୁ ଇସ୍କନକୁ ଚିଠି ଲେଖିଲେ ଗଜପତି। ଏହା ପରେ ଇସ୍କନ ତା’ ୱେବସାଇଟ୍ରୁ ସ୍ନାନଯାତ୍ରା ତଥ୍ୟ ହଟାଇଥିଲା। କିନ୍ତୁ ଅଦିନ ରଥଯାତ୍ରା ତଥ୍ୟ ଥିଲା। ଆଜି ଗଜପତି ମହାରାଜା ଇସ୍କନ ଉପରେ ମନଇଚ୍ଛା ବର୍ଷିଥିଲେ। ସାମ୍ୱାଦିକ ସମ୍ମିଳନୀ କରି ଗଜପତି କହିଥିଲେ, ରଥ ଯାତ୍ରା ଏକ ଖେଳ ଘର ନୁହେଁ। ଖୋଦ ଜଗନ୍ନାଥଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଦିଷ୍ଟ ତିଥିରେ ରଥ ଯାତ୍ରା ଆୟୋଜିତ ହେଉଛି। ମାତ୍ର ଇସ୍କନ ପକ୍ଷରୁ ପ୍ରାୟ ମାସେ ଦୁଇ ମାସ ବ୍ୟବଧାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଆୟୋଜିତ ହେଉଛି। ଇସ୍କନ ଏହାକୁ ଏକ ପ୍ରଚାର ଯାତ୍ରା ଭାବେ ପରିଚାଳନା କରୁଛି। କିନ୍ତୁ ଏହାକୁ ଆଉ ବରଦାସ୍ତ କରାଯିବନି। ଏଥର ଆମେ ଛାଡ଼ିବୁନି, ବହୁତ ହୋଇଗଲା। ରଥ ଯାତ୍ରା ପାଳନ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ମନମାନୀ ବିରୋଧରେ ଆଜି ଏପରି ବର୍ଷିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।