ଦୁଇ ମାସ ଭିତରେ ରାୟ ଶୁଣାଇଲେ କୋର୍ଟ : ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ଧରମ ମାମୁଁଙ୍କୁ ଆଜୀବନ କାରାଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଅଞ୍ଚଳରେ ନାବାଳିକାଙ୍କୁ ଜଳଖିଆ ଖୁଆଇବାକୁ ନେଇ ଧରମ ମାମୁଁ ବଳାତ୍କାର ପରେ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ରାୟ । ରାୟ ଶୁଣାଇଛନ୍ତି ବାଲେଶ୍ୱର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ରଞ୍ଜନ କୁମାର ସୁତାର । ଏଭଳି ସ୍ପର୍ଶକାତର ଘଟଣାରେ ୨ ମାସ ଭିତରେ ରାୟ ଶୁଣେଇଛନ୍ତି କୋର୍ଟ । ମୁଦାଲା ରବି ସିଂକୁ କୋର୍ଟ ୨୩ ଜଣ ସାକ୍ଷୀ ଏବଂ ୪୦ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ । ଏଥିସହ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୃତ ନାବାଳିକାଙ୍କ ପରିବାରକୁ ୯ ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମୋକଦ୍ଦମା ପରିଚାଳନା କରିଥିଲେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।
ହତ୍ୟା ଘଟଣାରେ ଦୋଷୀ ରବି ସିଂ ବୃତ୍ତିରେ ଜଣେ ଦିନ ମଜୁରୀଆ । ନାବାଳିକାଙ୍କୁ ହତ୍ୟା କରିବା ପୂର୍ବରୁ ନାବାଳିକାଙ୍କ କକା ଓ ପରିବାର ସହ ଅଳ୍ପ ଦିନ ମଧ୍ୟରେ ଅତି ଘନିଷ୍ଟ ସମ୍ପର୍କ ତିଆରି କରିଥିଲା । ତେବେ ଗତ ଅଗଷ୍ଟ ୨୭ ତାରିଖ ୭ଟା ୩୦ ସମୟରେ ନାବାଳିକାଙ୍କ କକାଙ୍କ ଘରକୁ ଯାଇଥିଲା । ସେଠାରେ ଯୋଜନା କ୍ରମେ ନାବାଳିକାକୁ ସାଙ୍ଗରେ ଜଳଖିଆ ଓ ଡ୍ରେସ୍ କିଣିବା କହି ଘରୁ ଗଣେଶ୍ୱରପୁର ବଜାରକୁ ନେଇଥିଲା । ଗଲା ବେଳେ ଜଣେ ଚିହ୍ନା ଲୋକ ସହ ବାଇକ୍ରେ ଲିଫ୍ଟରେ ବଜାରକୁ ଯାଇଥିଲା । ହେଲେ ବଜାରରୁ ୨୦ଟଙ୍କାର ଜଳଖିଆ କିଣି ନାବାଳିକାକୁ ନିକଟସ୍ଥ ଗୌରପୁର ଅଞ୍ଚଳରେ ଶୁନଶାନ ବୁଦା ନିକଟରେ ଥିବା ଏକ ପରିତ୍ୟକ୍ତ କୋଠା ନିକଟକୁ ନେଇ ସେଠାରେ ନାବାଳିକାକୁ ବଳପୂର୍ବକ ବଳାତ୍କାର କରିଥିଲା । ପରେ ନାବାଳିକାକୁ ଧମକ ଦେଇଥିଲା ପରିବାରରେ କାହାରିକୁ ନ ଜଣାଇବା ପାଇଁ । ହେଲେ ନାବାଳିକା ଜଣକ ପରିବାର ଲୋକଙ୍କୁ କହିବାକୁ ଜିଦ୍ ଧରିବାରୁ ମୁଦାଲା ରବି ସିଂ ଏକ ସିମେଣ୍ଟ ସ୍ଲାବରେ ନାବାଳିକାଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ଶେଷରେ ନାବାଳିକାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାସହ ଘଟଣା ପ୍ରଘଟ ଭୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଶରୀରକୁ ପରିତ୍ୟକ୍ତ କୋଠାର ଛାତ ଉପରେ ଥିବା ଘାସ ବୁଦା ନିକଟରେ ଫିଙ୍ଗି ଦେବା ସହ ପତ୍ର ଘୋଡ଼େଇ ଦେଇଥିଲା ।
ତେବେ ରେମୁଣା ଥାନାରେ ଗତ ୩୦/୦୮/୨୪ରେ ନାବାଳିକାଙ୍କ ପରିବାର ପକ୍ଷରୁ ନାବାଳିକା ବହୁ ଖୋଜାଖୋଜି ପରେ ନ ମିଳିବା ଓ ମୁଦାଲା ରବି ସିଂକୁ ସନ୍ଦେହ କରି ଦାୟର ପରେ ଘଟଣାକୁ ଗୁରୁତର ନେଇଥିଲା ପୋଲିସ । ଏହି ମାମଲାରେ ସ୍ପେସାଲ ମାମଲା (ନଂ. ୨୨୧/୨୦୨୪) ଓ ରେମୁଣା ଥାନାରେ ଏକ ମାମଲା (ନଂ. ୧୪୫/୨୪) ରୁଜୁ ହୋଇଥିଲା । ସମ୍ବେଦନଶୀଳ ଘଟଣା ହୋଇଥିବା ଯୋଗୁଁ ତତ୍କାଳୀନ ଏସ୍ପି ସାଗରିକା ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧନରେ ଏକ ସ୍ୱତନ୍ତ୍ର ଟିମ୍ ମୁଦାଲା ରବି ସିଂ ଅଞ୍ଚଳ ଛାଡ଼ିବା ପୂର୍ବରୁ ତାକୁ ରେମୁଣା ପୋଲିସ୍ ଥାନାକୁ ଉଠାଇ ଆଣିଥିଲା । ପରେ ରବି ସିଂକୁ ଅଟକ ରଖି ଅଧିକ ପଚରାଉଚରା ପରେ ହତ୍ୟାକାଣ୍ଡ ସମ୍ପର୍କରେ ସବୁ ସ୍ପଷ୍ଟ କରିବା ସହ ନିଜ ଦୋଷ ମାନି ଥିଲା ।