ଘରୋଇ ମାଟିରେ ଲଜ୍ଜାଜନକ ରେକର୍ଡ, ବାଂଲାଦେଶର ସର୍ବବୃହତ୍ତ ଟେଷ୍ଟ ପରାଜୟ
ନୂଆଦିଲ୍ଲୀ : ଘରୋଇ ମାଟିରେ ଲଜ୍ଜାଜନକ ରେକର୍ଡ ମୁଣ୍ଡାଇଛି ବାଂଲାଦେଶ। ଦଳ ତା’ ଟେଷ୍ଟ ଇତିହାସରେ ଦ୍ୱିତୀୟ ସର୍ବବୃହତ୍ତ ପରାଜୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଓ ୨୭୩ ରନରେ ପରାସ୍ତ କରିଛି। ଏଥିସହ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଦକ୍ଷିଣ ଆଫ୍ରିକା କ୍ଲିନସୁଇପ କରିଛି।
୨୦୦୨ ପରେ ବାଂଲାଦେଶର ଏହା ପ୍ରଥମ ସର୍ବବୃହତ୍ତ ଟେଷ୍ଟ ପରାଜୟ। ୨୦୦୨ରେ ରିଡଲେ ଜ୍ୟାକବଙ୍କ ୱେଷ୍ଟଇଣ୍ଡିଜ ବାଂଲା ଟାଇଗରକୁ ଗୋଟିଏ ଇନିଂସ ଓ ୩୧୦ ରନରେ ହରାଇଥିଲା। ଏବେ ଚଟ୍ଟୋଗ୍ରାମରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରୁ ୩ ଦିନରୁ କମ ସମୟରେ ଶେଷ କରି ଦେଇଛି। ଏହାର ଦକ୍ଷିଣ ଆଫ୍ରିକାର ସର୍ବବୃହତ୍ତ ଟେଷ୍ଟ ବିଜୟ। ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୩ ବ୍ୟାଟରଙ୍କ ଶତକ ବଳରେ ୬ ୱିକେଟ ହରାଇ ୫୭୫ ରନ କରିବା ପରେ ପାଳି ଘୋଷଣା କରିଥିଲା।
ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୪୮ ରନ କରିଥିଲା। ଆଜି ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକା ବାଂଲାଦେଶର ୧୬ ୱିକେଟ ଦଖଲ କରିଛି। ଏଥିସହ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ପ୍ରଥମ ଇନିଂସରେ ବାଂଲାଦେଶ ୧୫୯ ରନରେ ଅଲଆଉଟ ହୋଇଯାଇଥିଲା। କାଗିସୋ ରବାଡା ୫ ୱିକେଟ ନେଇଥିବା ବେଳେ ଡାନ ପିଟରସନ ୨ଟି, କେଶବ ମହାରାଜ ୨ଟି ଓ ସେନୁରାନ ମୁଥୁସାମୀ ଗୋଟିଏ ୱିକେଟ ନେଇଥିଲା। ପ୍ରଥମ ଇନିଂସରେ ୪୧୬ ରନ ପଛରେ ଥିବା ବାଂଲାଦେଶକୁ ଦ୍ୱିତୀୟ ପାଳିରେ କେଶବ ମହାରାଜ ଘାଣ୍ଟିଥିଲେ। ସେ ଏକାକୀ ୫ଟି ୱିକେଟ ନେଇଥିବା ବେଳେ ମୁଥୁସାମୀ ୪ ୱିକେଟ ନେଇଥିଲେ। ପିଟରସନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା। ୩ ବୋଲରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ୧୪୩ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଗୋଟିଏ ଇନିଂସ ଓ ୨୭୩ ରନରେ ମ୍ୟାଚ୍ ଜିତିବା ସହ ସିରିଜ କବଜା କରିଛି।