ଜିଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ, ଜୀବନଯାତ୍ରା ଠପ୍
କୋରାପୁଟ : ଆଜି କୋରାପୁଟ ବନ୍ଦ। ଜିଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଶେଷ କରି ସି. ଓ ବି. ଗ୍ରୁପରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ ସ୍ଥାନୀୟ ଜିଲାର ପିଲାମାନଙ୍କୁ ନିଯୁକ୍ତି କରାନଯାଇ ବାହାର ଜିଲା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା କାରଣରୁ ସ୍ଥାନୀୟ ଶିକ୍ଷିତ ପିଲାମାନେ ଉପେକ୍ଷିତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ସରକାର ସେହି ନିୟମ ପ୍ରତ୍ୟାହାର କରି ଜିଲା ଭିତ୍ତିକ ନିଯୁକ୍ତି ନିମନ୍ତେ ନିୟମ ପ୍ରଣୟନ କରି ଜିଲ୍ଲାର ପ୍ରାର୍ଥୀମାନଙ୍କୁ ସି ଓ ବି ଗ୍ରୁପରେ ନିଯୁକ୍ତି ନକରିବା ଦାବିରେ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି।
ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ ଟାରୁ ଲକ୍ଷ୍ମୀପୁର ଆମ୍ବେଦକର ଛକ ନିକଟରେ ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବସ ଟ୍ରକ ସହିତ ଯାନବାହାନ ଅଟକି ରହିଛି। ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ବନ୍ଦ ଯୋଗୁ ଦୋକାନ ବଜାର, ଗାଡ଼ି ଚଳାଚଳ,ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ବନ୍ଦ ରହିଛି। ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ଯୁବକ ମାନେ ଏଥିରେ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ନିୟୋଜିତ ରହିଛନ୍ତି।
ଆଦିବାସୀ ଅଧ୍ୟୁଷିିତ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଆଦିବାସୀ ଯୁବକ ଯୁବତୀ ଚାକିରୀ ପାଇଁ ଆଶାୟୀ ଥିବାବେଳେ ସରକାର ସେମାନଙ୍କ ପ୍ରତି ଅଣଦେଖା କରି ବାହାର ଜିଲାର ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି। ଏହାଫଳରେ ଜିଲ୍ଲାର ଯୁବକ ଯୁବତୀ କର୍ମସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। କୋରାପୁଟ ଜିଲାରେ ୯୨୨ରୁ ମାତ୍ର ୪୦ ଜଣ ଏବଂ ନବରଙ୍ଗପୁରରେ ୮୬୦ରୁ ୧୩୪ ଜଣ ଜିଲାର ପ୍ରାର୍ଥୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳିପାରିନାହିଁ ।