ସମ୍ବଲପୁର ମଣ୍ଡଳ ଜେଲ୍ରେ ଚଢ଼ାଉ, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଜମିଥିଲା ମାଦକଦ୍ରବ୍ୟର ଆସର। ଲୁଚାଚୋରାରେ କଏଦୀଙ୍କ ପାଖରେ ପହଞ୍ଚା ଯାଉଥିଲା ଗୁଟଖା, ସିଗାରେଟ, ବିଡି, ଗଞ୍ଜେଇ ଓ ଖଇନି। ଶୁକ୍ରବାର ଚଢ଼ାଉ ବେଳେ ଏହା ପଦାକୁ ଆସିଛି।
ଅପରାଧୀଙ୍କୁ ଦଣ୍ଡ ବିଧାନ ପରେ ଜେଲରେ ରଖାଯାଇଥାଏ। ହେଲେ ଜେଲ ଭିତରେ ସେମାନଙ୍କୁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି। ଏମିତି କିଛି ଅଭିଯୋଗ ଆସିବା ପରେ ସମ୍ବଲପୁର ମଣ୍ଡଳ ଜେଲ୍ରେ ମାଦକଦ୍ରବ୍ୟ ଯାଞ୍ଚ ପାଇଁ ଶୁକ୍ରବାର ଭୋର ୩.୩୦ରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ୍ କରାଯାଇଥିଲା । ଏହି ରେଡ୍ରେ ୭ଜଣ ଇନସ୍ପେକ୍ଟର, ୨ଜଣ ଏସଡିପିଓ, ୪ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି ସାମିଲ ଥିଲେ । ଜେଲ୍ର ୨୨ ଟି ୱାର୍ଡରେ ରହୁଥିବା ୫୭୬ ଅନ୍ତେବାସୀଙ୍କ ଆସବାବପତ୍ର ଯାଞ୍ଚ କରାଯାଇଥିଲା । ଏହି ଚଢାଉରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ, ଖଇନି, ଅମୃତାଂଜନ, ଗୁଟଖା ଜବତ କରାଯାଇଛି । ଏନେଇ ସମ୍ବଲପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।