ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷର
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏକ ବୁଝାମଣାପତ୍ର ସ୍ୱାକ୍ଷର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦୁଇ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।
ଶୁକ୍ରବାର କୁଳପତି ପ୍ରଫେସର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ସମେତ ବିତ୍ତ ନିୟନ୍ତ୍ରକ କରନ ସୋରେନ, ଆଇକିୟୁଏସି (ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷ)ର ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢ଼ୀ ତଥା ସମସ୍ତ ବିଭାଗ ମୂଖ୍ୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି । ଏଥିସହିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳସଚିବ ସହଦେବ ସମଧିଆ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ ଆଇକିୟୁଏସି (ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷ)ର ନିର୍ଦ୍ଦେଶକ ପ୍ରଫେସର ହିମା ବିନ୍ଦୁ ପ୍ରମୁଖ ଉପସ୍ଥିତ ହୋଇ ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
କୁଳପତି ପ୍ରଫେସର ତ୍ରିପାଠୀ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ୱାକ୍ଷରିତ ଏହି ବୁଝାମଣାପତ୍ରର ମୂଲ୍ୟବୋଧ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଦୁଇ ବିଶ୍ୱବିଦ୍ୟାଳୟ ଉତ୍ତର ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ କରିବାନେଇ ସର୍ବଦା ପ୍ରୟାସ କରି ଆସିଛି । ବର୍ତ୍ତମାନ ସମୟରେ ମିଳିତ ଭାବେ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରି ଆଗେଇଯିବାର ସଂକଳ୍ପ ସହ ଏହି ବୁଝାମଣାପତ୍ର ସ୍ୱାକ୍ଷରର ସଫଳ ରୂପାୟନ କରାଯିବ । ଏଥିସହ ଗବେଷଣାତ୍ମକ ତଥ୍ୟ ଆଦାନପ୍ରଦାନ, ଅନୁଷ୍ଠାନର ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା, ଗ୍ରାମୀଣସ୍ତରର ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ, ପଠନ ସାମଗ୍ରୀ ତଥା ଗବେଷଣାଗାରରେ ଉପଲବ୍ଧ ସୁବିଧାସୁଯୋଗର ବିନିମୟ, ବିଭିନ୍ନ ପାଠ୍ୟକ୍ରମ ସଂପର୍କିତ ବିଶେଷ ବିଷୟଗୁଡ଼ିକରେ ପ୍ରାଧ୍ୟାପକମାନଙ୍କ ପାରସ୍ପରିକ ଯୋଗଦାନ ଓ ମୂଖ୍ୟତଃ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହ ଭାଷା ସାହିତ୍ୟର ବିକାଶ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାର କରି ଦୁଇ ଅନୁଷ୍ଠାନ କାର୍ଯ୍ୟ-ପ୍ରଣାଳୀ ପ୍ରସ୍ତୁତ କରିବ ବୋଲି କୁଳପତି ମତପୋଷଣ କରିଛନ୍ତି । କାର୍ଯ୍ୟକ୍ରମଟି ବିଶ୍ୱବିଦ୍ୟାଳୟର (ଆଇକିୟୁଏସି) ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷର ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢ଼ୀଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ବୁଝାମଣାପତ୍ରଟି ଉଭୟ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ବୈଠକରେ ଉପସ୍ଥିତ ସମସ୍ତ ଅଧ୍ୟାପିକାଅଧ୍ୟାପକମାନେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରିବା ନେଇ ଉତ୍ସାହ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ (ଆଇକିୟୁଏସି) ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷର ସଂଯୋଜକ ଡ. ମିହିର ତନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।