ବାଲେଶ୍ୱର : ଆକ୍ସନ ମୋଡ୍ରେ ବିଧାୟକ ମାନସ ଦତ୍ତ, ସ୍ୱାସ୍ଥ୍ୟସେବାର ଅନୁଧ୍ୟାନ ସହ ଜଳ ନିଷ୍କାସନର ସୁବ୍ୟବସ୍ଥା ନେଇ ନିର୍ଦ୍ଦେଶ
* ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ତଦାରଖ
* ବର୍ଷାଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ଦେଲେ ନିର୍ଦ୍ଦେଶ
ବାଲେଶ୍ୱର : ନିର୍ବାଚିତ ହେବାର ଦିନକ ପରେ ଆକ୍ସନ ମୋଡ୍ରେ ବାହାରିଛନ୍ତି ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ । ବୁଧବାର ଦିନତମାତ ସହରବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଗ୍ରହଣ ଓ ସନ୍ଧ୍ୟାରେ ବିଜୟ ଉତ୍ସବ ପାଳନ ପରେ ବିଧାୟକ ଶ୍ରୀ ଦତ୍ତ ପହଂଚିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟସେବା ଉପରେ ଅଭିଯୋଗର ବାସ୍ତବିକ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଶ୍ରୀ ଦତ୍ତ ହସପିଟାଲର ବିଭିନ୍ନ ୱାର୍ଡ ବୁଲିଥିଲେ । ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ବାର୍ତ୍ତାଳାପ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ । ବିଭିନ୍ନ ବିଭାଗରେ ଚିକିତ୍ସକଙ୍କ ଅଭାବକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ । ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେବ ଜଗଦେବ ଓ ଅତିରକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଗୁରୁବାର ଅପରାହ୍ଣରେ ବାଲେଶ୍ୱର ସହରରେ ଉଦ୍ବୃତ ବର୍ଷାଜଳ ନିଷ୍କାସନ ନେଇ ଦେଖା ଦେଉଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଶ୍ରୀ ଦତ୍ତ ପହଂଚିଥିଲେ ଏଲଆଇସି କାର୍ଯ୍ୟାଳୟ ନିକଟ ମହାନାଳ ନିକଟରେ । ରାଜ୍ୟ ସରକାରଙ୍କ ପୂର୍ବ ଘୋଷିତ ମହାନାଳ ପୁନରୁଦ୍ଧାର ଯୋଜନାର ବାସ୍ତବିକ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେଠାକୁ ଡକାଇଥିଲେ । ସେହି ଅନୁସାରେ ଡ୍ରେନେଜ ବିଭାଗ ଏସଡିଓଙ୍କ ସହ ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୀମାଂଚଳ ମିଶ୍ର, ପୋରପାଳିକା ଯନ୍ତ୍ରୀ ପ୍ରଦୀପ ନାୟକ ପ୍ରମୁଖ ସେଠାରେ ପହଂଚି ବାଲେଶ୍ୱର ପୋରପାଳିକା ମଧ୍ୟ ଦେଇ ଯାଇଥିବା ମହାନାଳର ଅବସ୍ଥିତି ସମ୍ପର୍କରେ ମ୍ୟାପ ଜରିଆରେ ବୁଝାଇଥିଲେ । ତେବେ ବାଲେଶ୍ୱର ସହରର ଆଖପାଖ ଅଂଚଳ ଓ ସହର ମଧ୍ୟ ଦେଇ ଯାଉଥିବା ମୋଟ ୬ଗୋଟି ମହାନାଳର ସଂସ୍କାର ଯୋଜନା ପାଇଁ ସମ୍ପ୍ରତି ଡିପିଆର ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପାଖରୁ ଆବଶ୍ୟକୀୟ ଅନୁଦାନ ମଞ୍ଜୁର ହେବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ ।
ପରେ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ସଙ୍ଗରେ ନେଇ ସ୍ଥାନୀୟ ଚିଡିଆପୋଲ ନିକଟରେ ମହାନାଳର ସ୍ଥିତି ପରଖିଥଲେ । ବିଭିନ୍ନ ସ୍ଥାନରେ ମହାନାଳ ଅବରୋଧ ହେବାକୁ ନେଇ ଶ୍ରୀ ଦତ୍ତ ଉଦବେଗ ପ୍ରକାଶ ସହ ମହାନାଳ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଅବରୋଧ ହଟାଇବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନାଳଗୁଡିକର ସମସ୍ତ କାର୍ଯ୍ୟ କଂକ୍ରିଟ ମାଧ୍ୟମରେ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଆଉ ମାତ୍ର ସପ୍ତାହକ ମଧ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବାର ସୂଚନା ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ମହାନାଳ ସମେତ ଅନ୍ୟାନ୍ୟ ବଡନାଳ ଗୁଡିକର ସଫେଇ କାର୍ଯ୍ୟ ସାରିବାକୁ ଶ୍ରୀ ଦତ୍ତ ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉଦବୃତ ବର୍ଷାଜଳ ନିଷ୍କାସନକୁ ନେଇ ସହରବାସୀ ଦୀର୍ଘ ଦିନ ଧରି ଯେଉଁ ସମସ୍ୟା ଭୋଗୁଛନ୍ତି, ଆଗାମୀ ଦିନରେ ଯେପରି ତାହାର ପୁନରାବୃତି ନ ହୁଏ ସେଥିପ୍ରତି ପ୍ରାଥମିକତା ଦେବାକୁ ବିଧାୟକ ଶ୍ରୀ ଦତ୍ତ କହିଥିଲେ । ବାଲେଶ୍ୱର ପୋରପାଳିକାର କାଉନସିଲର ସତ୍ୟଶିବ ସୁନ୍ଦର ଦାସ, ନିତ୍ୟଗୋପାଲ ସିଂ ଓ ଭାରତୀ ପାତ୍ର, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଚିତ୍ତରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଗଙ୍ଗାଧର ରାଉତ, ଉମାକାନ୍ତ ଶତପଥୀ, ଅନନ୍ତ ନାୟକ, ଉମେଶ ବେହେରା, ବିକାଶ ପାଢି, ସୌଭାଗ୍ୟ ମାନସ ନାୟକ, ଜୟପ୍ରକାଶ ଦାଶ, ଧୀରଜ ମହାନ୍ତି, ଲୋକନାଥ ଭୁୟାଁ, ଶକ୍ତିପଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।