ବାଲେଶ୍ୱର : ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର, ମହିଳା ଅଟକ
ବାଲେଶ୍ବର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ମା’ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର (ଏମ୍ସିଏଚ୍) ବିଲ୍ଡିଂର ଏସ୍ଏନ୍ସିୟୁ ବିଭାଗରୁ ଚୋରି ହୋଇଥିବା ଶିଶୁପୁତ୍ର ମିଳିଲା । ଗତ ଗୁରୁବାର ହସପିଟାଲରେ ଚିକିତ୍ସା ଚାଲିଥିବା ସମୟରେ କେହି ପିଲାକୁ ଚୋରି କରିନେଇଥିବା ଅଭିଯୋଗ ଆଣିଥିଲେ ଦମ୍ପତି । ଅଭିଯୋଗ ପରେ ସାରା ରାତି ଖୋଜାଖୋଜି କରିବା ପରେ ଦୁର୍ଗାଦେବୀରୁ ଶିଶୁ ପୁତ୍ର ମିଳିଥିଲା । ପିଲାକୁ ଜଣେ ମହିଳା ଚୋରି କରି ନେଇଯାଇଥିବା ଜଣାପଡିଥିଲା । ତେବେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଯେ, ବାଲିଆପାଳ ଥାନା ଆଠବାଟିଆ ଅଞ୍ଚଳର ସୁଶାନ୍ତ ବାରିକଙ୍କ ପତ୍ନୀ ଟିକିଲିଙ୍କର ଗତ ମାର୍ଚ୍ଚ ୨୮ ତାରିଖରେ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନ ହୋଇଥିଲା । ତେବେ ନବଜାତ ଶିଶୁଟିର ରିପୋର୍ଟରେ ଜଣ୍ଡିସ୍ ବାହାରିବାରୁ ଡାକ୍ତର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଗତ ମଙ୍ଗଳବାର ଶିଶୁଟିକୁ ଜିଲା ମୁଖ୍ୟ ଚିକିତ୍ସାଳୟ ମା’ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଏମ୍ସିଏଚ୍ ବିଭାଗ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଦ୍ୱି-ପ୍ରହର ସମୟରେ ଶିଶୁଟି ପାଖରୁ ତା’ର ମା’ ବାହାରକୁ ଆସିଥିବା ବେଳେ ବେଡ୍ରୁ ଶିଶୁପୁତ୍ରକୁ କେହି ଉଠାଇ ନେଇ ତା’ ସ୍ଥାନରେ ଏକ ନବଜାତ ଶିଶୁକନ୍ୟାକୁ ରଖିଦେଇ ଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ସୁଶାନ୍ତ ଏବଂ ତାଙ୍କ ପତ୍ନୀ ସେଠାରେ ଉପସ୍ଥିତ ଥିବା ଅନ୍ୟ ନବଜାତ ଶିଶୁଙ୍କ ମା’, ପରିବାର ଲୋକ, ଡାକ୍ତରଖାନା ସୁରକ୍ଷାକର୍ମୀ ଓ ଏସ୍ଏନ୍ସିୟୁର ଷ୍ଟାଫ୍ନର୍ସ କେହି ତାଙ୍କ କଥା ଶୁଣିନଥିଲେ । ଏନେଇ ସୁଶାନ୍ତ ସଙ୍ଗେ ସଙ୍ଗେ ସିଡିଏମ୍ଓଙ୍କୁ ଜଣାଇବା ସହ ଡାକ୍ତରଖାନା ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ଡାକ୍ତରଖାନା କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ ଏବଂ ସେଠାରେ ଉପସ୍ଥିତ ରୋଗୀଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ନବଜାତ ଶିଶୁପୁତ୍ରଟି ଚୋରି ହୋଇଥିବା ବେଳେ ତା’ ସ୍ଥାନରେ ରଖାଯାଇଥିବା ଶିଶୁକନ୍ୟାଟି କାହାର ସେନେଇ ପ୍ରଶ୍ନ ଉଠିଛି । ଏସ୍ଏନ୍ସିୟୁ ବିଭାଗ ସମ୍ମୁଖରେ ୨ଟି ସିସି କ୍ୟାମେରା ଲଗାଯାଇଥିବା ବେଳେ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀ ସେଠାରେ ନିୟୋଜିତ ହୋଇଥିବା ସତ୍ତ୍ୱେ ନବଜାତ ଶିଶୁ ଚୋରି ହେବା ବାସ୍ତବରେ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଥିଲା ।