ଆଇପିଏଲ୍-୨୦୨୪ : ମୁମ୍ବାଇକୁ ୩୧ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ହାଇଦ୍ରାବାଦ
ହାଇଦ୍ରାବାଦ : ଆଇପିଏଲ୍-୨୦୨୪। ଆଇପିଏଲ୍ ଇତିହାସରେ ଦେଖିବାକୁ ମିଳିଲା ସବୁଠୁ ହାଇସ୍କୋରିଂ ମୁକାବିଲା। ବୁଧବାର ଅନୁଷ୍ଠିତ ମ୍ୟାଚରେ ସବୁଠୁ ବଡ ସ୍କୋର କରି ଇତିହାସ ରଚିଛି ହାଇଦ୍ରାବାଦ। ସନରାଇଜର୍ସ ହାଇଦ୍ରାବାଦ ପରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି। କିନ୍ତୁ ୨୭୮ ରନର ପାହାଡ଼ ତଳେ ଦବିଗଲା ମୁମ୍ବାଇ ଇଣ୍ଡିଆନ୍ସ। ବିଶାଳ ବିଜୟ ଲକ୍ଷ ପିଛା କରିଥିବା ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୪୬ ରନ କରିବାକୁ ସକ୍ଷମ ହୋଇଛି।
ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ହେଁ ବ୍ୟାଟିଂ ଉପଯୋଗୀ ମ୍ୟାଚ୍ରେ ହାଇଦ୍ରାବାଦ ମୁମ୍ବାଇକୁ ୩୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ ମୁମ୍ବାଇ ଚଳିତ ସିଜିନରେ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ୫୦୦ରୁ ଉର୍ଦ୍ଧ୍ଵ ସ୍କୋର ହେବା ସହ ଛକାର ରେକର୍ଡ ମଧ୍ୟ ହୋଇଛି।
ସୂଚନା ଯେ, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଅଷ୍ଟମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୨୭୭ ରନ କରିଥିଲା। ଦଳ ପକ୍ଷରୁ ହେନରିକ କ୍ଲାସେନ ୩୪ ବଲରୁ ଅପରାଜିତ ୮୦ ରନ, ଅଭିଷେକ ଶର୍ମା ୨୩ ବଲରୁ ୬୩ ରନ, ଟ୍ରେଭିସ୍ ହେଡ୍ ୨୪ ବଲରୁ ୬୨ ଓ ଆଡନ ମାରକ୍ରମ ଅପରାଜିତ ୪୨ ରନ କରିଥିଲେ। ଜବାବରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୪୬ ରନ କରିଥିଲା। ମୁମ୍ବାଇ ପକ୍ଷରୁ ତିଳକ ବର୍ମା ସର୍ବାଧିକ ୬୪ ରନ କରିଥିବା ବେଳେ ଟିମ୍ ଡେଭିଡ୍ ୪୨ ରନ କରି ଅପରାଜିତ ଥିଲେ। ହାଇଦ୍ରାବାଦ ପକ୍ଷରୁ ପାଟ୍ କମିନ୍ସ ମାପଚୁପ ବୋଲିଂ କରି ୩୫ ରନ ଦେଇ ୨ଟି ଓ ଜୟଦେବ ଉନାଦକତ ୪୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।
୨୭୮ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ମୁମ୍ବାଇ ମଧ୍ୟ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ଇଶାନ କିଶନ ଓ ରୋହିତ ଶର୍ମା ୩.୨ ଓଭରରେ ୫୬ ରନ ଯୋଡ଼ିଥିଲେ। ଇଶାନ କିଶନ ୧୩ ବଲରୁ ୩୪ ରନ ଏବଂ ରୋହିତ ଶର୍ମା ୧୨ ବଲରୁ ୨୬ ରନ କରି ଆଉଟ୍ ହେବା ମୁମ୍ବାଇକୁ ଶକ୍ତ ଝଟକା ଲାଗିଥିଲା। କିନ୍ତୁ ଦଳ ହାର ମାନି ନ ଥିଲା। ଏହାପରେ ନମନ ଧୀର ଓ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଉଭୟ ୮୪ ରନ ଯୋଡ଼ିଥିଲେ। ନମନ ଧୀର ୧୪ ବଲରୁ ୩୦ ରନ କରିଥିଲେ। ୧୫୦ ରନ ସ୍କୋରରେ ନମନ ଆଉଟ ହୋଇଥିଲେ। ଅନ୍ୟପଟେ ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ୩୪ ବଲରୁ ୬୪ ରନ କରିଥିଲେ। ଏହି ଦୁଇ ବ୍ୟାଟରଙ୍କ ଆଉଟ୍ ପରେ ମୁମ୍ବାଇର ରନଗତି ଧିମେଇ ଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିରାଶ କରିଥିଲେ। ସେ ମାତ୍ର ୨୦ ବଲରୁ ୨୪ ରନ କରିଥିଲେ। ଟିମ୍ ଡେଭିଡ୍ ୨୨ ବଲରୁ ୪୨ ରନ କରିଥିଲେ ହେଁ ତାହା ପର୍ଯ୍ୟାପ୍ତ ନ ଥିଲା। ଶେଷରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୪୬ ରନ କରିଛି। ଏହା ଆଇପିଏଲ୍ ଇତିହାସର ପଞ୍ଚମ ସବୁଠୁ ବଡ଼ ସ୍କୋର। ଆଉ ମ୍ୟାଚ୍କୁ ହାଇଦ୍ରାବାଦ ୩୧ ରନରେ ଜିତି ନେଇଛି।