ଇଡି ଲକଅପରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଆଜି କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଦିଲ୍ଲୀ ଇଢି ମୁଖ୍ୟାଳୟର ଲକଅପରେ ରାତି କାଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ତାଙ୍କ ବାସଭବନରୁ ଗିରଫ କରିଥିଲା। ଏହି ମାମଲାରେ ତାଙ୍କୁ ସୁରକ୍ଷା ଦେବା ଲାଗି ଦିଲ୍ଳୀ ହାଇକୋର୍ଟ ମନା କରିଦେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ସେ ରାତି ବିତାଇଛନ୍ତି । କେଜ୍ରିୱାଲଙ୍କୁ ଇଡି ଲକଅପରେ ରଖାଯାଇଛି । ଅବଶ୍ୟ ଇଡି ଲକଅପରେ ଏୟାର କଣ୍ଡିସନ୍ ସୁବିଧା ରହିଛି । ରାତିରେ ପଚରାଉଚରା କରାଯାଇନଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଇଡି ଲକ ଅପରେ ରଖିବା ପୂର୍ବରୁ ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା ।
ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆବେଦନକୁ ଏକ ଡାଏରୀ ନମ୍ବର ମିଳିଛି । ତେବେ ଶୁଣାଣିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଗିରଫ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।
୯ଟି ସମନ ଦେବା ପରେ ଆଜି ୧୦ ସମନ ଦେବାକୁ ପହଞ୍ଚି ଥିଲା ଇଡି । ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପଚରାଉଚରା କରିବା ସହ ଘରର ଯାଞ୍ଚ କରିଥିଲେ । ଏହାପରେ ଇଡି ଅଧିକାରୀ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲେ। ଇଡି ଅଧିକାରୀ ପ୍ରାୟ ୨ ଘଣ୍ଟା କେଜ୍ରିଓ୍ବାଲଙ୍କୁ ତାଙ୍କ ଘରେ ପଚରାଉଚରା କରିଥିଲା । ଏହି ସମୟରେ ଇଡି ଯୁଗ୍ମ ନିର୍ଦ୍ଦେଶକ କପିଲ ରାଜ ମଧ୍ୟ ଉପସ୍ଥିତ ଥିଲେ । ପିଏଲଏଲଏ ଧାରା ୫୦ ଅନୁସାରେ କେଜ୍ରିଓ୍ବାଲଙ୍କ ବୟାନ ରେକର୍ଡ କରାଯାଇଛି ।
ଇଡି ଅଧିକାରୀଙ୍କ ପଚରାଉଚରା ବେଳେ ସୁରକ୍ଷା ବଳୟ ଭିତରେ ଭିତରେ ରଖାଯାଇଥିଲା । କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ଆରଏଏଫ ଯାବାନଙ୍କୁ ମୁତୟନ କରାଯାଇଥିଲା । ଏହାସହ ସ୍ଥାନୀୟ ପୋଲିସ ମଧ୍ୟ ବହୁ ସଂଖ୍ୟାରେ କେଜ୍ରିଓ୍ବାଲଙ୍କ ଘର ଆଗରେ ମତୟନ ହୋଇଥିଲେ । ଖବର ଜଣାପଡିବା ପରେ ଧିରେ ଧିରେ ଆମ୍ ଆଦମୀ ପାର୍ଟି ନେତା, ମନ୍ତ୍ରୀ ଓ କର୍ମୀଙ୍କ ଭିଡ ଲାଗିଥିଲା । ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆପ୍ ନେତା ଓ କର୍ମୀ ତାଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଇଡି ବିରୋଧରେ ସ୍ଲୋଗାନ ଦେଇଥିଲେ । ରେଡ ବେଳେ କୌଣସି ନେତା ଓ ମନ୍ତ୍ରୀଙ୍କୁ କେଜ୍ରିଓ୍ବାଲଙ୍କ ଘରକୁ ଛଡା ଯାଇନଥିଲା ।
ସୂଚନା ଯେ, କୌଣସି ଦୁର୍ନୀତି ମାମଲାରେ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ।