ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି, ଯାତାୟାତ ବାଧାପ୍ରାପ୍ତ
ଭୁବନେଶ୍ୱର: ଦୁଇଦିନର ଲଗାଣ ବର୍ଷା ପରେ ଟ୍ବିନ୍ ସିଟିରେ ଘନ କୁହୁଡି। ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଘନ କୁୁହୁଡ଼ି ଯୋଗୁଁ ରାସ୍ତା ଠିକ୍ ଭାବେ ଦେଖାଯାଉନାହିଁ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘନ କୁହୁଡ଼ି ଯୋଗୁଁ ୨୦ ମିଟର ଯାଏଁ ରାସ୍ତା ଦେଖାଯାଉ ନାହିଁ । ଲଗାଣ ବର୍ଷା ପରେ ଟ୍ୱିନ୍ ସିଟିରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖାଦେଇଛି ।
ଗୁରୁବାର ସକାଳୁ କଟକ ଓ ଭୁବନେଶ୍ବରରେ ଘନ କୁହୁଡି ପରିଲକ୍ଷିତ ହୋଇଛି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେପଟେ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିଲା ବେଳେ ଆଜିଠାରୁ ପାଗ ବଦଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ମାର୍ଚ୍ଚର ତାପମାତ୍ରା ରେକର୍ଡ ଭାଙ୍ଗିଛି। ମାର୍ଚ୍ଚରେ ରାଜ୍ୟରେ ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ଦିନର ସର୍ବୋଚ୍ଚ ତାପମାତ୍ରା ସବୁଠି ନିମ୍ନ ସ୍ତରକୁ ଖସିବାରେ ରେକର୍ଡ ଭାଙ୍ଗିଛି । ବୁଧବାର ପୁରୀରେ ଦିନର ସର୍ବାଧିକ ତାପମାତ୍ରା ୨୦.୪ ଡିଗ୍ରୀ ଥିବାବେଳେ ଏହା ୧୨୧ ବର୍ଷର ରେକର୍ଡ ଭାଙ୍ଗିଛି। ଚାନ୍ଦବାଲିରେ ୨୧ ଡିଗ୍ରୀ ତାପମାତ୍ରା ଥିବାରୁ ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ସେହିପରି ରାଜଧାନୀରେ ସର୍ବାଧିକ ୧୯.୨ ଡିଗ୍ରୀ ଥିବାବେଳେ ୭୧ ବର୍ଷର , ବାରିପଦାରେ ୨୦.୪ ଡିଗ୍ରୀ ଥିବାବେଳେ ୬୮ ବର୍ଷର ଏବଂ ପାରାଦୀପରେ ୨୦.୭ ଡିଗ୍ରୀ ଥିବାବେଳେ ଏଠାରେ ୫୪ ବର୍ଷର ରେକର୍ଡ ଭାଙ୍ଗିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।