ଲୋକସଭା ନିର୍ବାଚନ-୨୦୨୪ : ଲାଗୁ ହେଲା ନିର୍ବାଚନ ଆଦର୍ଶ ଆଚରଣ ବିଧି, ଜଣାନ୍ତୁ କ’ଣ ବାରଣ ଓ କାହାକୁ ନାହିଁ ଚେକ୍

ନୂଆଦିଲ୍ଲୀ : ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ ତାରିଖ ଘୋଷଣା ସହ ସ୍ବଚ୍ଛ ନିର୍ବାଚନ ପାଇଁ ସାରା ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ‘କୋଡ୍ ଅଫ୍ କଣ୍ଡକ୍ଟ’ । ନିର୍ବାଚନ ଆୟୋଗ ସର୍ବଶକ୍ତିମାନ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ । ଜେଲ୍ ସହିତ ଜରିମାନା । ସେହିପରି ସମସ୍ତ ପ୍ରକାର ବିକାଶମୂଳକ କାମରେ ଲାଗିଲା ପଜ୍ ବଟନ୍ । ନିର୍ବାଚନୀ ଫଳାଫଳ ଘୋଷଣା ସରିବା ପର୍ଯ୍ୟନ୍ତ ଏହା ପୂରା ଦେଶରେ ବଳବତ୍ତର ରହିବ । ଏହାସହିତ ନିର୍ବାଚନ ଆୟୋଗ ଶାସନର ସମସ୍ତ କ୍ଷମତା ନିଜ ଅଧୀନକୁ ନେଇଛନ୍ତି । ତାଙ୍କ ବିନା ଅନୁମତିରେ ସରକାର କୌଣସି କାର୍ଯ୍ୟ କରିପାରିବେ ନାହିଁ ।
ନିର୍ବାଚନକୁ ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବାକୁ ସମ୍ବିଧାନରେ କିଛି ସ୍ବତନ୍ତ୍ର ନିୟମ ରହିଛି । ଏହାକୁ ଆଦର୍ଶ ଆରଚଣ ବିଧି କୁହାଯାଏ । ଏହି ନିୟମର ରକ୍ଷକ ସାଜିଥାନ୍ତି ନିର୍ବାଚନ ଆୟୋଗ । ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ଅଧୀନରେ ଆସୁଛି । ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ଏହି ନିୟମକୁ ପାଳନ କରିବାକୁ ସରକାର, ରାଜନୈତିକ ପାର୍ଟି ବାଧ୍ୟ ହୋଇଥାନ୍ତି । ନିୟମ ଉଲ୍ଲଙ୍ଘନ କଲେ ତରୁନ୍ତ ତାଙ୍କୁ ଗରିଫ କରି ଜେଲା ପଠାଇଥାଏ । ଆଦର୍ଶ ଆଚରଣ ବିଧି ଲାଗୁ ଦେବା ସହିତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ନିର୍ବାଚନ ଆୟୋଗଙ୍କ ଅଧୀନକୁ ଆସିଛନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି କିମ୍ବା ବଦଳି ସରକାର କରିପାରବେ ନାହିଁ । ଯଦି ଜରୁରୀ ପଡ଼େ, ତେବେ ନିର୍ବାଚନ କମିଶନରଙ୍କ ସହମତି ଜୁରରୀ । ରାଜ୍ୟ ମୁଖ୍ୟ ନିର୍ବାଚନ କିମିଶନର ଚାହିଁଲେ ଅଧିକାରୀଙ୍କ ବଦଳ ଓ ନିଯୁକ୍ତି କରିପାରିବେ ।
ନିର୍ବାଚନ ପ୍ୟାନେଲର ନିର୍ଦ୍ଦେଶ ଅନୁଯାୟୀ, ଆଚରଣ ବିଧି ଲାଗୁ ବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଅଧିକାରୀ ଅନୁଦାନ ଅର୍ଥରାଶି ଘୋଷଣା କରିପାରିବେ ନାହିଁ । ପ୍ରାଶାସନିକ ଅଧିକାରୀଙ୍କୁ ଛାଡ଼ି ସରକାରଙ୍କ ସହିତ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି ଲୋକାଭିମୁଖୀ ପ୍ରକଳ୍ପର ଘୋଷଣା ଓ ଶିଳାନ୍ୟାସ କରି ପାରିବେ ନାହିଁ । ଏହି ସମୟରେ ସଡ଼କ ନିର୍ମାଣ, ପାନୀୟଜଳ ଆଦି ଯୋଜନାକୁ ନେଇ ପ୍ରତିଶ୍ରୁତି ଦେଇ ପାରିବେ ନାହିଁ । ଯୋଜନା ପୂର୍ବର ଘୋଷଣା ହୋଇଥିଲା ତାହା ଜାରି ରହିବ ।
ଏହି ବିଧି ଲାଗୁ ହୋଇଥିଲେ, ଶାସକ ଦଳ ନିଜର ରାଲି କିମ୍ବା ବିଜ୍ଞାପନ ଖର୍ଚ୍ଚ ପାଇଁ ସରକାରୀ ଅର୍ଥ ବ୍ୟବହାର କରିପାରିବେ ନାହିଁ । ଟିଭି ବିଜ୍ଞାପନ ସରକାରୀ ଅର୍ଥରେ ଚାଲୁ ଥିଲେ ତୁରନ୍ତ ତାକୁ ହଟାଇ ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମହାମାରୀ ବେଳେ ସରକାର କୌଣସି କାର୍ଯ୍ୟ କରିବାକୁ ଚାହୁଁଥିଲେ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ପଡ଼ିବ । ସରକାରୀ ବିମାନ, ଯାନବାହନ, ମେସିନାରୀ ଏବଂ କର୍ମଚାରୀଙ୍କୁ ଶାସକ ଦଳ ବ୍ୟବହାର କରିପାରିବ ନାହିଁ । ପ୍ରଚାର ରାଲିରେ ରାଜନୈତିକ ଦଳମାନେ ଏହି ଆଦର୍ଶ ଆଚରଣ ବିଧି ମାନିବାକୁ ବାଧ୍ୟ । ନିର୍ବାଚନୀ ସଭା ପାଇଁ ରାଜନୈତିକ ଦଳମାନେ ମନ୍ଦିର, ମସଜିଦ୍, ଚର୍ଚ୍ଚ, ଗୁରୁଦ୍ବାରା କିମ୍ବା କୌଣସି ଧାର୍ମିକ ସ୍ଥଳିକୁ ବ୍ୟବହାର କରିବେ ନାହିଁ । ଜନସଭା ସ୍ଥଳିର ଟିକନିକ୍ ତଥ୍ୟ ସ୍ଥାନୀୟ ପୋଲିସ୍ ଆଧିକାରୀଙ୍କୁ ଦେବାକୁ ପଡ଼ିଥାଏ । ପ୍ରଚାରରେ ଯାନବାହନ ବ୍ୟବହାର ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ଅନୁମତି ନେବାକୁ ପଡ଼ିବ । ରାତି ୧୦ଟାରୁ ସକାଳ ୬ଟା ଯାଏଁ ଡିଜେ ବ୍ୟବହାର ହେବ ନାହିଁ । କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଏଭଳି କିଛି ଗତିବିଧି ସହିତ ସାମିଲ ହେବେ ନାହିଁ, ଯାହା ନିର୍ବାଚନରେ ମତଭେଦ ସୃଷ୍ଟି କରିବ । ଘୃଣା କିମ୍ବା ହିଂସା ସୃଷ୍ଟି କଲା ଭଳି ଭାଷଣ ଦେଇ ପାରିବେ ନାହିଁ । ଜାତି, ସମୁଦାୟ, ଧର୍ମକୁ ନେଇ ଭୋଟ୍ ମାଗି ଉପରେ ବାରଣ । ଜନପ୍ରତିନିଧିମାନେ ଅପରାଧ, କଦାଚାର, ଏବଂ ଭ୍ରଷ୍ଟ ଆଚରଣ, ଲାଞ୍ଚ କରାବାର ଏବଂ ମତଦାତାଙ୍କୁ ଭୋଟ୍ ପାଇଁ ପ୍ରଲୋଭନ ଦେଖାଇ ପାରିବେ ନାହିଁ । ରାଜନେତାମାନେ ଭୋଟରଙ୍କୁ ଧମକାଇଲେ କିମ୍ବା ଭୟଭୀତ କରିବାକୁ ଚେଷ୍ଟା କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ଆୟୋଗ ପ୍ରଚାର ବନ୍ଦ କରିବା ସହିତ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। ଦୋଷ ପ୍ରମାଣିତ ହେଲେ ଜେଲ ଦଣ୍ଡ ସହିତ ପ୍ରାର୍ଥୀଙ୍କ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲାଗିବ ।
ନିୟମ କହୁଛି, ନେତା ଓ ରାଜନୈତିକ ଦଳ ଏହି ଆଦର୍ଶ ଆଚରଣ ବିଧି ମାନିବାକୁ ବାଧ୍ୟ । ପ୍ରଚାର ସମୟରେ ନେତାଙ୍କ ମୁହଁରେ ନିୟନ୍ତ୍ରଣ ରଖିବାକୁ ଏହା ଉଦ୍ଦିଷ୍ଟ । ଯାହାର ଏକମାତ୍ର ଉଦ୍ଦେଶ୍ୟ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ସୁରୁଖୁରୁରେ ସମ୍ପନ୍ନ କରାଇବା । ଏହି ସମୟ ମଧ୍ୟରେ ସରକାର, କୌଣସି ପ୍ରକାର ଜନମଙ୍ଗଳକାରୀ ଘୋଷଣା କରିପାରିବେ ନାହିଁ । ଅର୍ଥାତ, ଭୋଟରଙ୍କୁ ପ୍ରଭାବିତ କଲା ଭଳି କିଛି ବି ଘୋଷଣା କରିପାରିବେ ନାହିଁ । ପ୍ରଚାର ବେଳେ ନେତାଏ କିଛି ବି ଆର୍ଥିକ ଯୋଜନା ଘୋଷଣା କରିପାରିବେ ନାହିଁ । ସରକାର ମଧ୍ୟ କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା କୌଣସି ପ୍ରକଳ୍ପ ବାବଦରେ ଘୋଷଣା କରିପାରିବେ ନାହିଁ । ଯାହା ବି ପ୍ରକଳ୍ପ ଅଧପନ୍ତରିଆ ହୋଇ ରହିଛି, ତାକୁ ନେଇ କିଛି ଅତିରିକ୍ତ ଘୋଷଣା କରାଯାଇ ପାରିବ ନାହିଁ । ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ଘୋଷଣା ହୋଇପାରିବ ନାହିଁ । ପାନୀୟ ଜଳକୁ ନେଇ ମଧ୍ୟ କିଛି ଘୋଷଣା ହେବନି । ଆଦର୍ଶ ଆଚରଣ ବିଧି ସମୟରେ ସମସ୍ତ ପ୍ରକାର ସରକାରୀ ଏବଂ ପବ୍ଲିକ୍ ସେକ୍ଟର କ୍ଷେତ୍ରରେ ନିଯୁକ୍ତି ବନ୍ଦ ରହିବ । ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଥାଇ ନିର୍ବାଚନ ଲଢୁଥିବା ନେତାଏ ସେମାନଙ୍କ ଅନୁଦାନ ପାଣ୍ଠିରୁ ଟଙ୍କାଟେ ଘୋଷଣା କରିପାରିବେ ନାହିଁ ।
ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ବଳବତ୍ତର ଥିବା ବେଳେ ସରକାରୀ ସମ୍ପଦ, ସରକାରୀ ପରିବହନ, ସରକାରୀ କଳ ଏପରିକି ମିଳିଥିବା ସରକାରୀ ସୁରକ୍ଷା ବ୍ୟବହାର କରାଯାଇ ପାରିବ ନାହିଁ । ପୌରପାଳିକା ଏବଂ ପଞ୍ଚାୟତ ଅଧୀନରେ ଥିବା ପବ୍ଲିକ୍ ଜାଗାକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରାଯିବ । ସମସ୍ତ ରାଜନୈତିକ ଦଳଙ୍କ ପାଇଁ ଏହା ଉପଲବ୍ଧ ହେବ । ସରକାରୀ ଗେଷ୍ଟ ହାଉସ, ଡାକ ବଙ୍ଗଳା ଏବଂ ଅନ୍ୟ ସରକାରୀ ଫାସିଲିଟି ଆଦୌ ବ୍ୟବହାର କରାଯାଇ ପାରିବ ନାହିଁ । ସରକାରଙ୍କ ଅଧୀନରେ ଥିବା ଗଣମାଧ୍ୟମ ସଂସ୍ଥା, ସରକାରଙ୍କୁ ସୁହାଇଲା ଭଳି ଖବର ପରିବେଷଣ କରିପାରିବେ ନାହିଁ । ସେହିଭଳି ଅନ୍ୟ ଗଣମାଧ୍ୟମ ସଂସ୍ଥା ମଧ୍ୟ କୌଣସି ପ୍ରକାର ପେଡ୍ ନ୍ୟୁଜ୍କୁ ପ୍ରଶୟ ଦେଇପାରିବେ ନାହିଁ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ଜାତି ଓ ସଂପ୍ରଦାୟକୁ ନେଇ ନେତାଏ ଭାଷଣ ଦେଇପାରିବେ ନାହିଁ । ଗୁଜବ ସୃଷ୍ଟି କରିବା, ଭୋଟରଙ୍କୁ ଲାଞ୍ଚ ଦେବା କିମ୍ବା ଭୋଟରଙ୍କୁ ଉତ୍ତେଜିତ କରାଇଲା ଭଳି କିଛି ବି କାର୍ଯ୍ୟକଳାପକୁ ଅନୁମତି ନାହିଁ । ଆମ ଦେଶରେ ୧୯୬୦ ମସିହାରେ କେରଳ ବିଧାନସଭା ନିର୍ବାଚନ ବେଳେ ପ୍ରଥମ ଥର ପାଇଁ ଲାଗୁ ହୋଇଥିଲା ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ ବା ଆଦର୍ଶ ଆଚରଣ ବିଧି । ପରେ ୧୯୬୨ରେ ଲୋକସଭା ନିର୍ବାଚନଠାରୁ ଏହା ଲାଗୁ ହୋଇ ଆସୁଛି । ୧୯୯୧ରୁ ଏହାକୁ ଅଧିକ କଡ଼ାକଡ଼ି କରାଯାଇଛି ।
ସୂଚନା ଯେ, ଆଦର୍ଶ ଆଚରଣ ବିଧି ୧୯୬୦ରୁ ଲାଗୁ ହୋଇଆସୁଛି । ପ୍ରଥମେ କେରଳ ବିଧାନସଭା ନିର୍ବାଚନ ଏହି ନିୟମ ଲାଗୁ ହୋଇଥିଲା । ନିର୍ବାଚନ ଆୟୋଗଙ୍କ ଦ୍ବାରା ଏହାକୁ ପ୍ରଥମେ ନିମ୍ନତମ ଆଚରଣ ବିଧି ଭାବେ ଜାରି କରାଯାଇଥିଲା ।