ଆଇପିଏଲ ୨୦୨୪ : ଚଳିତ ଆଇପିଏଲରେ କେଉଁ ଦଳର କ୍ୟାପଟେନ କିଏ, ଆସନ୍ତୁ ଜାଣିବା
ନୂଆଦିଲ୍ଲୀ : ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ । ଏହାକୁ ନେଇ ସବୁ କ୍ରୀଡ଼ାପ୍ରେମୀଙ୍କ ମନରେ ବେଶ ଉତ୍ସାହ ଭରି ରହିଛି । ଚଳିତ ବର୍ଷ ଆଇପିଏଲରେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ । ୨୦୨୪ ଆଇପିଏଲକୁ ନେଇ ହୋଇଥିବା ମିନି ଅକ୍ସନରେ ଅନେକ ଦାମୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ୨୦୨୩ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ହାସଲ କରି ପଞ୍ଚମ ଥର ଟ୍ରଫି ହାତେଇଥିଲା ଏବଂ ମୁମ୍ବାଇ ଇଂଡିଆନ୍ସ ସହ ସମାନ ହୋଇ ସର୍ବାଧିକ ବିଜେତା ହୋଇଥିଲା । ଗତ ବର୍ଷ ଆଇପିଏଲରେ ଉପବିଜେତା ହୋଇଥିବା ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଟ୍ରେଡ଼ ପରେ ମୁମ୍ବାଇ ଇଂଡିଆନ୍ସର ଅଧିନାୟକ ଭୂମିକାରେ ଦେଖିବାକୁ ମିଳିବେ । ସେହି ଭଳି ଚଳିତ ବର୍ଷ ଅନେକ ଦଳରେ ମଧ୍ୟ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ, ତେବେ ଚାଲନ୍ତୁ ନଜର ପକାଇବା ଚଳିତ ବର୍ଷର ଆଇପିଏଲ ଦଳର ଅଧିନାୟକଙ୍କ ଉପରେ ।
ମୁମ୍ବାଇ ଇଂଡିଆନ୍ସ – ହାର୍ଦିକ ପାଣ୍ଡ୍ୟା(ଅଧିନାୟକ) :
ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଂଡିଆନ୍ସ କହିଲେ ଅତ୍ୟୁକ୍ତି ହେବନାହିଁ । ୫ ଥର ଆଇପିଏଲ ବିଜେତା ମୁମ୍ବାଇ ଇଂଡିଆନ୍ସର ଚଳିତ ବର୍ଷର ପ୍ରତିନିଧିତ୍ବ କରିବେ ହାର୍ଦିକ ପାଣ୍ଡ୍ୟା ।
ଚେନ୍ନାଇ ସୁପର କିଙ୍ଗ୍ସ – ମହେନ୍ଦ୍ର ସିଂହ ଧୋନି(ଅଧିନାୟକ) :
ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତିନିଧିତ୍ବରେ ୫ ଥର ବିଜେତା ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ବର୍ଷ ଟାଇଟେଲ ବଞ୍ଚାଇବାକୁ ଲଢେଇ କରିବ ।
ଦିଲ୍ଲୀ କ୍ୟାପିଟାଲ୍ସ – ଋଷବ ପନ୍ତ(ଅଧିନାୟକ) :
ଗତ ବର୍ଷ ଆହତ ଥିବା ଋଷବ ପନ୍ତ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ ମଧ୍ୟ ଚଳିତ ବର୍ଷ ଦିଲ୍ଲୀ ପାଇଁ ପ୍ରତିନିଧିତ୍ବ କରିବେ । ୱିକେଟ୍ କିପର ପନ୍ତ ଚଳିତ ବର୍ଷ କେବଳ ବ୍ୟାଟ୍ସମ୍ୟାନ ଏବଂ ଅଧିନାୟକ ରୂପେ ଖେଳିବେ କିନ୍ତୁ ୱିକେଟ୍ କିପିଙ୍ଗ କରିବେ ନାହିଁ ।
କୋଲକାତା ନାଇଟ ରାଇଡର୍ସ – ଶ୍ରେୟସ ଆୟାର(ଅଧିନାୟକ) :
୨୦୧୨ ଏବଂ ୨୦୧୪ରେ ଆଇପିଏଲ ବିଜେତା ହୋଇଥିବା କେକେଆରର ଚଳିତ ବର୍ଷ ପ୍ରତିନିଧିତ୍ବ କରିବେ ଶ୍ରେୟସ ଆୟାର ।
ଗୁଜୁରାଟ ଟାଇଟନ୍ସ – ଶୁଭମନ ଗିଲ(ଅଧିନାୟକ) :
ପ୍ରଥମ ବର୍ଷରେ ବିଜେତା ହୋଇଥିବା ଗୁଜୁରାଟ ଟାଇଟନ୍ସ ଦ୍ଵିତୀୟ ବର୍ଷରେ ମଧ୍ୟ ଉପବିଜେତା ହୋଇଥିଲା । ଚଳିତ ବର୍ଷ ଗୁଜୁରାଟର ଅଧିନାୟକଙ୍କୁ ମୁମ୍ବାଇ ଟ୍ରେଡ଼ କରିବା ପରେ ଚଳିତ ବର୍ଷ ଶୁଭମନ ଗିଲ ଦଳର ପ୍ରତିନିଧିତ୍ବ କରିବେ ।
ଲଖନଉ ସୁପର ଜାଏଣ୍ଟସ – କେଏଲ ରାହୁଲ(ଅଧିନାୟକ) :
ଲଖନଉ ସୁପର ଜାଏଣ୍ଟସର ପ୍ରତିନିଧିତ୍ବ କରିବେ କେଏଲ ରାହୁଲ । କେଏଲ ରାହୁଲଙ୍କ ନେତୃତ୍ୱରେ ଚଳିତ ବର୍ଷ ବିଜେତା ହେବାକୁ ଚେଷ୍ଟା କରିବା ଦଳ ।
ପଞ୍ଜାବ କିଙ୍ଗ୍ସ – ଶିଖର ଧାୱନ(ଅଧିନାୟକ) :
ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସର ଭାର ସମ୍ଭାଳିବେ ଭାରତର ବାମ ହାତୀ ଓପନର ଶିଖର ଧାୱନ ।
ରାଜସ୍ତାନ ରୟାଲ୍ସ – ସଂଜୁ ଶାମସନ(ଅଧିନାୟକ) :
୨୦୦୮ ରେ ପ୍ରଥମ ବର୍ଷର ବିଜେତା ହୋଇଥିବା ରାଜସ୍ତାନର ନେତୃତ୍ୱ ନେବେ ସଂଜୁ ଶାମସନ । ଉଦ୍ଘାଟନୀ ବର୍ଷରେ ବିଜେତା ହୋଇଥିବା ରାଜସ୍ତାନ ଚଳିତ ବର୍ଷ ବିଜେତା ହେବାକୁ ଚେଷ୍ଟା କରିବ ।
ସନରାଇଜର୍ସ ହାଇଦ୍ରାବାଦ – ପ୍ୟାଟ କମିନ୍ସ(ଅଧିନାୟକ) :
୨୦୧୬ ରେ ବିଜେତା ହୋଇଥିବା ହାଇଦ୍ରାବାଦର ଚଳିତ ବର୍ଷ ପ୍ରତିନିଧିତ୍ବ କରିବେ ପ୍ୟାଟ କମିନ୍ସ । ବିଶ୍ୱକପ ବିଜେତା ଅଧିନାୟକ ତଥା ଆଇପିଏଲ ଇତିହାସର ଦ୍ଵିତୀୟ ସର୍ବାଧିକ ଦାମୀ ଖେଳାଳି ରୂପେ କିଣା ହୋଇଥିବା କମିନ୍ସଙ୍କ ଉପରେ ସମସ୍ତଙ୍କର ନଜର ରହିବ ।
ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗାଲୋର – ଫାଫ ଡୁ ପ୍ଲେସିସ(ଅଧିନାୟକ) :
ଆଇପିଏଲର ସବୁଠାରୁ ଚର୍ଚ୍ଚିତ ଦଳ ହେଉଛି ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗାଲୋର । ଭାରତର କିମ୍ବଦନ୍ତୀ ଖେଳାଳି ତଥା ଭାରତର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପରେ ଦଳର ନେତୃତ୍ୱ ନେଇଛନ୍ତି ଫାଫ ଡୁ ପ୍ଲେସିସ । ଦକ୍ଷିଣ ଆଫ୍ରିକାର ଏହି ଖେଳାଳି ଚଳିତ ବର୍ଷ ମଧ୍ୟ ରୟାଲ ଚ୍ୟଲେଞ୍ଜର୍ସ ବାଙ୍ଗାଲୋରର ପ୍ରତିନିଧିତ୍ବ କରିବେ ।