କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଶପଥ ନେଲେ ୪୩ ମନ୍ତ୍ରୀ
- ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀ
- ଆଜି ରାତିରେ ମିଳିବ ଦାୟିତ୍ୱ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ବୁଧବାର ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ୧୫ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ ପଦ ମିଳିଛି। ରାଷ୍ଟ୍ରପତି ଭବନର ଦରବାଲ ହଲ୍ରେ ଆୟୋଜିତ ସ୍ଵତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, ସିଡିଏସ ବିପିନ କୁମାର ରାଓ୍ଵତଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ। ଆଜି ରାତିରେ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି । ସେହିପରି ଆଜି କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ସମସ୍ତ ମନ୍ତ୍ରୀଙ୍କୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରହିବାକୁ କୁହାଯାଇଛି। ଜୁଲାଇ ୧୯ ରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ମନ୍ତ୍ରୀମାନଙ୍କୁ ସେମାନଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି ।
ପ୍ରଥମେ କ୍ୟାବିନେଟ୍ ପାହ୍ୟା ମିଳିଥିବା ମନ୍ତ୍ରୀ ଶପଥ ନେଇଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ଭାବେ ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୋଓ୍ଵାଲ, ଡ. ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ଵିନ ବୈଷ୍ଣବ, ପଶୁପତି କୁମାର ପାର, କିରେନ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ପାଣ୍ଡଭିୟ, ଭୁପେନ୍ଦ୍ର ଯାଦବ ଶପଥ ନେଇଛନ୍ତି।
ଏହା ପରେ ୨୮ ରାଷ୍ଟ୍ର ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଇଛନ୍ତି। ଏଥିରେ ଅଛନ୍ତି ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂହ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରଣ୍ଡଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣ ସ୍ଵାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିହ୍ନ, ଭଗଓ୍ଵନ୍ତ ଖୁବା, କପିଲ ମୋରେଶ୍ଵର ପାଟିଲ, ପ୍ରତୀମା ଭୌମିକ, ଡ. ସୁବାଷ ସରକାର, ଭଗଓ୍ଵତ କିଶନରାୟ କରାଡ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାଓ୍ଵାର, ବିଶେଶ୍ଵର ଟୁଡୁ, ଶାନନ୍ତୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜୋନ ବାର୍ଲା, ଏଲ ମୁରୁଗାନ ଓ ନିଶିଥ ପ୍ରମାଣିକ।
ଅନ୍ୟପକ୍ଷରେ ୧୪ ମନ୍ତ୍ରୀଙ୍କୁ ଛୁଟି ଦିଆଯାଇଛି। ଏଥିରେ ଅଛନ୍ତି ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦ। ପ୍ରକାଶ ଜାବଡେକର କେନ୍ଦ୍ର କ୍ୟାବିନେଟ୍ରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। ସେହି ପରି ରବିଶଙ୍କର ପ୍ରସାଦ ଆଇନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ। ଏହି ପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ରୀୟ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ଶିକ୍ଷା ରାଜ୍ୟ ମନ୍ତ୍ରୀ ସଂଜୟ ଧୌତ୍ରୋ, ଜଙ୍ଗଲ ଏବଂ ପର୍ଯ୍ୟାବରଣ ରାଜ୍ୟ ମନ୍ତ୍ରୀ ବାବୁଲ୍ ସୁପ୍ରିଓ, ରାୱ ସାହବ ଦାନବେ, ରତନ ଲାଲ୍ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଦେବ ଶ୍ରୀ ବାନାର୍ଜୀ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସାରିଛନ୍ତି ।