ଜିଲା ବିଦ୍ୟାଳୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା; ବାଲେଶ୍ୱର ‘ଏ’ ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଓ ଓଡ଼ିଶା କ୍ରିକେଟ ଏସୋସିଏସନ ମିଳିତ ଆନୁକୁଲ୍ୟରେ ଜିଲା ବିଦ୍ୟାଳୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା (ବାଳକ) ନୁଆ ଷ୍ଟାଡିୟମ୍ ପରମିଟ ପଡ଼ିଆ ଠାରେ ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ୧୩ ଦିନ ଧରି ଚାଲିଥିଲା । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ବାଲେଶ୍ୱର ‘ଏ’ ଏବଂ ବାଲେଶ୍ୱର ‘ସି’ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ‘ସି’ ପ୍ରଥମେ ବ୍ୟାଟିଂ କରି ୨୨ ଓଭରରେ ସମସ୍ତ ଉଇକେଟ୍ ବିନିମୟରେ ୮୧ ରନ୍ ସଂଗ୍ରହ କରିଥିଲେ । ବାଲେଶ୍ୱର ‘ସି’ ଟିମ୍ର ପ୍ରତ୍ୟୁଷ ନାୟକ ୫୬ ବଲରୁ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ । ବାଲେଶ୍ୱର ‘ଏ’ର କ୍ରିଶବ ନାୟକ ୮ ରନ୍ ଦେଇ ସର୍ବାଧିକ ୪ଟି ଉଇକେଟ୍ ଓ ସଚିଦାନନ୍ଦ ଷଣ୍ଢ ୧୬ ରନ୍ ଦେଇ ୩ଟି ଉଇକେଟ ନେଇଥିଲେ । ଜବାବରେ ବାଲେଶ୍ୱର ‘ଏ’ ୨୨.୩ ଓଭରରେ ୩ ଉଇକେଟ୍ ହରାଇ ୮୫ ରନ ସଂଗ୍ରହ କରି ମ୍ୟାଚ୍ ବିଜୟୀ ହୋଇଥିଲେ । ମିକୁନ ଦଳ ନାୟକ ୬୪ ଟି ବଲରୁ ୨୯ ରନ କରି ଅପରାଜିତ ରହିଥିଲେ । ବାଲେଶ୍ୱର ‘ସି’ ଟିମ୍ର ଅଜୁ ହାସଦା, ସପିକ ସାହା ଏବଂ ରାଜେଶ ଜେନା ଗୋଟିଏ ଲେଖାଁଏ ଉଇକେଟ ହାସଲ କରିଥିଲେ । ଚମ୍ପିୟାନ ବାଲେଶ୍ୱର ‘ଏ’କୁ ସ୍ୱର୍ଣ୍ଣ, ରନର୍ସଅପ୍ ବାଲେଶ୍ୱର ‘ସି’କୁ ରୌପ୍ୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବାଲେଶ୍ୱର ‘ବି’ ଟିମ୍କୁ କାଂଶ୍ୟ ପଦକ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ଓ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲକୁ ଅଂଶଗ୍ରହଣ ପାଇଁ ଟ୍ରଫି ପ୍ରଦାନ କରାଯାଇଥିଲା ।
ଉଦ୍ଯାପନୀ ଉତ୍ସବରେ ଜିଲା କ୍ରୀଡ଼ା ସଂଘର ବରିଷ୍ଠ ସଭ୍ୟ ସୁକାନ୍ତ ନାୟକ ସଭାପତିତ୍ୱ କରିଥିଲେ । କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର, ଅନ୍ୟତମ ଅତିଥି ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଉପାଧ୍ୟକ୍ଷ ଜୟନ୍ତ କୁମାର ହୋତା କ୍ରୀଡ଼ାବିତ୍ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ସଭ୍ୟ ପ୍ରଦିପ ଦାସ ଓ ଅଲୋକ ପଣ୍ଢା ଏହି ପ୍ରତିଯୋଗିତା କ୍ରୀଡ଼ା ସଂଘର ଏକ ଉଚିତ୍ ପଦେକ୍ଷପ ବୋଲି ବର୍ଣ୍ଣନା କରିଥିଲେ । ମ୍ୟାଚକୁ ଅଶ୍ୱନି ସାମଲ ଓ ସ୍ୱାଗତ ଦେ ସରକାର ପରିଚାଳନା କରିଥିବା ବେଳେ ରାହୁଲ ସିଂ ଓ ସୌମେନ୍ଦ୍ର ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଉତ୍ସବରେ ଜିଲା କ୍ରୀଡା ସଂଘର ଯୁଗ୍ମ ସମ୍ପାଦକ ବିରେନ୍ଦ୍ର କୁମାର ସ୍ୱାଇଁ, କାର୍ତ୍ତିକ ଚନ୍ଦ୍ର୍ର ନାୟକ, ଜନ୍ମେଜୟ ଦେ, ସଭ୍ୟ ମାନସ କୁମାର ଦାସ, ରାଜୀବ ସେନାପତି, ସୁବିର ନାୟକ ଏବଂ ଅନ୍ୟ କର୍ମକର୍ତ୍ତା, କୋଚ୍ ଓ ଖେଳାଳୀମାନେ ଉପସ୍ଥିତ ଥିଲେ । ଜିଲା କ୍ରୀଡ଼ା ସଂଘର କ୍ରିକେଟ୍ ଯୁଗ୍ମ ସମ୍ପାଦକ ଅଜିତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।