ବାଲେଶ୍ୱର : ଜଳକା ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗୋଠ ଗଡ଼ିଆ ନିକଟ ଦେଇ ପ୍ରବାହିତ ଜଳକା ନଦୀରୁ ଗୁରୁବାର ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ସକାଳେ ସ୍ଥାନୀୟ ଅଞ୍ଚଳର କିଛି ପିଲା ନଦୀ ପାଖକୁ ଶୌଚ ହେବାପାଇଁ ଯାଇ ନଦୀରେ ଉକ୍ତ ମାଛ ପହଁରୁଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ଏହି ମାଛଟିକୁ କୌଣସି ହିଂସ୍ର ଜନ୍ତୁ ଭାବି ଭୟଭୀତ ହୋଇଯାଇଥିଲେ । ଏହା ପରେ କୌତୁହଳ ସହକାରେ ସେହି ମାଛଟିକୁ ଜାଲ ସାହାଯ୍ୟରେ ଧରାଯାଇଥିଲା । ପରେ ଏହାକୁ ନଳବାହାର ଚନ୍ଦନ ପୋଖରୀରେ ଛଡ଼ାଯାଇଥିଲା । ଖବରପାଇ ବାଲେଶ୍ୱର ବନ ବିଭାଗ ଅଧିକାରୀ ପହଞ୍ଚି ଉକ୍ତ ପୋଖରୀରୁ ମାଛଟିକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ତେବେ ମାଛଟି କେଉଁ ମାଛ ଜଣା ପଡ଼ିନଥିବା ବେଳେ କେହି କେହି କୋଙ୍କି ମଗର ତ ଆଉ କେହି ଡ଼ଲଫିନ ବୋଲି କହୁଛନ୍ତି । ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ପ୍ରବଳ ଭିଡ଼ ଲାଗିରହିଛି ।