ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ ! ବିଜେଡିରେ ମିଶିଲେ ଭି.କେ ପାଣ୍ଡିଆନ୍
ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ । ବିଜେଡିରେ ମିଶିଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଅଛନ୍ତି ପାଣ୍ଡିଆନ୍ । ସକାଳ ୧୦.୧୫ରେ ସେ ବିଜେଡିରେ ମିଶିଛନ୍ତି । ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ଶଙ୍ଖ ଭବନରୁ ତାରାତାରିଣୀ ମନ୍ଦିର ଯିବେ ଭି.କେ.ପାଣ୍ଡିଆନ।
ପାଣ୍ଡିଆନ ବିଜେଡିରେ ମିଶିବା ପୂର୍ବରୁ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ବହୁ ନେତା ମନ୍ତ୍ରୀ ସାମିଲ୍ ହୋଇଥିଲେ । ଏହି ହାଇଲେଭଲ ମିଟିଂରେ ଅନେକ ଆଲୋଚନା ହୋଇଥିଲା । ପରେ ସେ ଦଳରେ ମିଶିଥିଲେ । ଏହା ପୂର୍ବରୁ ସୋମବାର ଭୋରୁ ଭୋରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ ପରେ ଯାତ୍ରୀ ପରିକ୍ରମା ମାର୍ଗର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଏସପି ଡଃ କନୱର ବିଶାଳ ସିଂଙ୍କ ସହ ଟାଟା ଏବଂ ଓବିସିସି ଅଧିକାରୀ ଉପସ୍ଥିତ ଥିଲେ ।
ସେପ୍ଟେମ୍ବର ୨୩ ତାରିଖରେ ଭି.କେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅବସର ନେବାର ଗୋଟିଏ ଦିନ ପରେ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହା ସହ ଶ୍ରୀ ପାଣ୍ଡିଆନଙ୍କୁ କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଥିଲା ।
୨୦୦୦ ବ୍ୟାଚ୍ ଶ୍ରୀ ପାଣ୍ଡିଆନ ପଞ୍ଜାବ କ୍ୟାଡ଼ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଓଡ଼ିଶା କ୍ୟାଡ଼ରର ସୁଜାତା ରାଉତଙ୍କୁ ପ୍ରେମ ବିବାହ କରିବା ପରେ ସେ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶା ଆସିଥିଲେ। ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୦୫ରୁ ୨୦୦୭ ମାର୍ଚ୍ଚ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳ, ୨୦୦୭ ଏପ୍ରିଲ ୯ରୁ ୨୦୧୧ ଏପ୍ରିଲ ୨୯ତାରିଖ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟ କରିଥିଲେ।
ସୂଚନା ଯେ, ଗଞ୍ଜାମ ଜିଲାପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ୨୦୧୧ ମେ’ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ। ସେବେଠୁ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ଗତ ୩ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ଉଭୟ ଦାୟିତ୍ୱ ତୁଲାଉଥିଲେ।