ବିଶ୍ବକପ-୨୦୨୩ : ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ, ପୁଣି ବର୍ଷା ସାଜିପାରେ ବାଧକ
ନୂଆଦିଲ୍ଲୀ : ବିଶ୍ବକପ କ୍ରିକେଟରେ ଆସନ୍ତାକାଲି ଭାରତ-ପାକିସ୍ତାନ ଲଢେଇ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀଙ୍କ ପାଇଁ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସିଛି । ଏହି ହାଇଭୋଲଟେଜ ମ୍ୟାଚରେ ବର୍ଷା ଆଶଙ୍କା ଥିବା ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଓ ଆସନ୍ତକାଲି ଅହମ୍ମଦାବାଦ ସମେତ ମଧ୍ୟ ଓ ଉତ୍ତର ଗୁଜରାଟର କିଛି ଜିଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ବିଶ୍ବକପର କୌଣସି ଲିଗ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇ ନାହିଁ । ଗତମାସରେ ଏସିଆ କପରେ ଭାରତ-ପାକ ମ୍ୟାଚ ବର୍ଶା ଯୋଗୁ ବାତିଲ ହୋଇଥିଲା।
ପ୍ରଥମେ ଅଷ୍ଟ୍ରେଲିଆ ତା ପରେ ଆଫଗାନିସ୍ତାନ, ଆଉ ଏବେ ପାକିସ୍ତାନର ପାଳି। ୧୪ ତାରିଖରେ ବିଶ୍ଵର ସର୍ବବୃହତ ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଏହି ବହୁପ୍ରତୀକ୍ଷିତ ମୁକାବିଲାକୁ କ୍ରିକେଟ୍ ଦୁନିଆର ଖେଳ ପ୍ରେମୀ ଚାହିଁ ରହିଛନ୍ତି। ଦୁଇ ଦଳ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆତ୍ମ ବିଶ୍ଵାସର ସହ ମଇଦାନକୁ ଓହ୍ଲାଇବେ। ତେଣୁ ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଭାରତ ଦ୍ଵିତୀୟ ମ୍ୟାଚ୍ରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ବସାଇ ଶାର୍ଦ୍ଦୁଳ ଠାକୁରଙ୍କୁ ଖେଳାଇଥିଲା। ତେବେ କ୍ରିକେଟ୍ ସମୀକ୍ଷକଙ୍କ ମତରେ ମହମ୍ମଦ ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେବାର ଥିଲା। ତେବେ ଏହି ମ୍ୟାଚ୍ରେ କେମିତି ରହିବ ଭାରତୀୟ ଦଳର ରଣନୀତି ଏବଂ କେଉଁ ୧୧ ଜଣ ଖେଳାଳିଙ୍କୁ ନେଇ ରୋହିତ ବାହିନୀ ପଡ଼ିଆକୁ ଓହ୍ଲାଇବ ତାହା ଉପରେ ସଭିଙ୍କ ନଜର।
ସେହିପରି ଆଜି ଚେନ୍ନାଇରେ ଖେଳାଯିବ ବିଶ୍ୱକପର ଏକାଦଶ ମ୍ୟାଚ୍ । ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ । ଏହି ମ୍ୟାଚରେ କିଓ୍ଵି ଟିମ ଫେବରାଇଟ। ଏହା ପଛର କାରଣ ହେଉଛି ଡେଭିଡ କନେଓ୍ଵ ଓ ମିଚେଲ ସାଣ୍ଟନର ଉଭୟଙ୍କ ଆଇପିଏଲ୍ ଅଭିଜ୍ଞାତା ରହିଛି । ଉଭୟେ ଚେନ୍ନାଇ ପାଇଁ ଖେଳି ସାରିଛନ୍ତି l ଆଉ ଦୁହେଁ ଭଲ ଫର୍ମ ଅଛନ୍ତି । ପୂର୍ଵ ଦୁଇଟି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଛି ନ୍ୟୁଜିଲାଣ୍ଡ । ଯଦିଓ ଦଳକୁ ଆହୁରି ମ୍ୟାଚ୍ ଖେଳିବକୁ ଅଛି । ତଥାପି ସେମିଫାଇନାଲ ଦୌଡ଼ରେ ବେଶ୍ ଆଗୁଆ ଜଣାପଡୁଛି କିଓ୍ଵି ଟିମ୍ ।