ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ହେବ । ଏକ ମାସ ପରେ ବନକଲାଗି ନୀତି କରାଯିବ। ଶ୍ରୀମୁଖ ଶୃଙ୍ଗାର ପରେ ଝକଟିବେ ଶ୍ରୀଜିଉ । ଏଥିନିମନ୍ତେ ଗୁରୁବାର ସନ୍ଧ୍ୟାରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୫ଟାରୁ ରାତି ୯ଟା ଭିତରେ ଏହି ନୀତି ସମ୍ପାଦିତ ହେବ । ଏହି ସମୟରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ। ବନକଲାଗି ନୀତି ପରେ ମହାପ୍ରଭୁଙ୍କ ସ୍ନାନ କରାଯାଇ ପୁନର୍ବାର ଦର୍ଶନ ଆରମ୍ଭ ହେବ।