ବାଲେଶ୍ୱର : ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର, ଚାଷଜମି ଜଳମଗ୍ନ
ବସ୍ତା : ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟରେ ଜାରି ରହିଛି ବର୍ଷା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରେ ଗତ ସୋମବାର ଠାରୁ ଲଗାଣ ବର୍ଷା ଲାଗି ରହିଛି । ଫଳରେ ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ଏବେ ବନ୍ୟା ଆଶଙ୍କା ଦେଖାଦେଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ମଙ୍ଗଳବାର ଏହି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ଏହି ନଦୀର ବିପଦ ସଙ୍କେତ ୫.୫୦ମିଟର ଥିବାବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନଦୀର ଜଳସ୍ତର ୫.୯୨ମିଟରରେ ପ୍ରବାହିତ ହେଉଛି । ଫଳରେ ନଦୀ ତଳିଆ ଅଞ୍ଚଳରେ ପାଣି ମାଡ଼ିବା ସହିତ ନଦୀ ନିକଟରେ ଥିବା ଚାଷଜମି ସବୁ ଜଳମଗ୍ନ ହୋଇଛି ।
ବର୍ଷା ଲାଗି ରହିଥିବାରୁ ଏବେ ଏହି ନଦୀର ଆଖପାଖ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ବନ୍ୟା ହେଲେ ଧାନଚାଷ ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହେବାର ସମ୍ଭାବନା ରହିଛି । ଚାଷୀଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ନଦୀ କୂଳିଆ ଲୋକଙ୍କ କହିବା ମୁତାବକ ରାତିରେ ଉପରମୁଣ୍ଡାରେ ବର୍ଷାହେଲେ ଜଳକା ନଦୀର ଜଳସ୍ତର ଅଧିକ ବଢ଼ିବା ସହିତ ଏକ ବଡ଼ ବନ୍ୟା ହେବାର ଆଶଙ୍କା ରହିଛି ।