ପାର୍ବଣ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ ! ୨୦୯ ଟଙ୍କା ବଢ଼ିଲା ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର
ନୂଆଦିଲ୍ଲୀ : ପାର୍ବଣ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢ଼ିଲା କମର୍ସିଆଲ ଏଲପିଜି ଦର। ୧୯ କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି। ଆଜିଠାରୁ ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ବରରେ କମର୍ସିଆଲ ଏଲପିଜି ଦର ୧୬ ଶହ ୭୪ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ ଦର ୧୭୩୧ ଟଙ୍କା ୫୦ ପଇସା ହୋଇଛି। ପୂର୍ବରୁ ଗତ ସେପଟେମ୍ବର ୧ ତାରିଖରେ କମର୍ସିଆଲ ଗ୍ୟାସ ଦର ୧୫୭ ଟଙ୍କା ହ୍ରାସ ପାଇଥିଲା। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।
ସୂଚନାଯୋଗ୍ୟ, ପ୍ରତି ମାସ ପହିଲାରେ ଉଭୟ ବ୍ୟାବସାୟିକ ଓ ଘରୋଇ ବ୍ୟବହାର ନିମନ୍ତେ ମିଳୁଥିବା ‘ଏଲ୍ପିଜି’ ସିଲିଣ୍ଡର୍ ଦର ସଂଶୋଧନ କରିଥାଆନ୍ତି। ତେଣୁ, ଆଜି ଠାରୁ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ପରିବର୍ଦ୍ଧିତ ମୂଲ୍ୟ ଲାଗୁ ହେବ। ସେହି ହିସାବରେ ଆଜିଠାରୁ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ ଦର ଦିଲ୍ଲୀରେ ୧୭୩୧. ୫୦, ମୁମ୍ବାଇରେ ୧୬୮୪, ଲକ୍ଷ୍ନୌରେ ୧୮୪୫, ଚେନ୍ନାଇରେ ୧୮୯୮, ବେଙ୍ଗାଲୁରୁରେ ୧୮୧୩ ଓ କୋଲ୍କାତାରେ ୧୮୩୯ ଟଙ୍କାରେ ବିକ୍ରୟ କରାଯାଉଛି। କିନ୍ତୁ, ଘରୋଇ ରନ୍ଧନକ୍ରିୟାରେ ବ୍ୟବହାର କରାଯାଉଥିବା ୧୪.୨ କିଲୋଗ୍ରାମ୍ବିଶିଷ୍ଟ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ଅପରିବର୍ତ୍ତିତ ରହିଛି। ସମ୍ପ୍ରତି ଜାରତୀୟ ରାଜଧାନୀ ଅଞ୍ଚଳରେ ଏହି ସିଲିଣ୍ଡର୍ର ଦର ୯୦୩ ଟଙ୍କା।
ଉଲ୍ଲେଖଯୋଗ୍ୟ, ଉଜ୍ଜ୍ବଳା ଯୋଜନାରେ ପ୍ରାୟ ୭୫ ଲକ୍ଷ ନୂଆ ‘ଏଲ୍ପିଜି’ ସଂଯୋଗ ଦିଆଯିବ ବୋଲି ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେବା ପରେ ଆଜି ବ୍ୟାବସାୟିକ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ବୃଦ୍ଧି ପାଇଛି। ଉଜ୍ଜ୍ବଳା ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବାକୁ ଥିବା ‘ଏଲ୍ପିଜି’ ସଂଯୋଗ ନିମନ୍ତେ ୧୬୫୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି।