ମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଶ୍ରୀଜିଉ

- ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ, ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଜଣାଇବେ ସେବକ
ପୁରୀ : ଦଶମୂଳ ମହୌଷଧି ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିର ଅଣସର ଘରେ ସୋମବାର ଖଳିଲାଗି କରାଯାଇଛି। ସୁସ୍ଥ ହେବାପରେ ପ୍ରଭୁଙ୍କୁ ଫୁଲ ଓ ତୁଳସୀ ଲାଗି କରାଯାଇଛି। ଅଣସର ଘର ଚକା ଉପରେ ବିଜେ କରିଛନ୍ତି ଶ୍ରୀଜୀଉ। ସୋମବାର ଏକାଦଶୀ ତିଥିରେ ପଟ୍ଟିଦିଅଁଙ୍କ ଦ୍ବିତୀୟ ଭୋଗମଣ୍ଡପ ଏବଂ ଦକ୍ଷିଣଘର ଭୋଗ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ବେହେରଣ ଦ୍ବାର ଫିଟିବା ପରେ ଦଇତାପତି ଅଣସର ଘରେ ପ୍ରବେଶ କରିଥିଲେ। ପ୍ରଭୁଙ୍କୁ ଖଳିଲାଗି କରାଯିବା ସହ ରକ୍ତବସ୍ତ୍ର ଲାଗି ହୋଇଥିଲା। ପତିମହାପାତ୍ର ପଣାଭୋଗ କରିଥିଲେ। ଏହାପରେ ବେହେରଣ ଦ୍ବାର ବନ୍ଦ କରାଯାଇଥିଲା। ପଟ୍ଟିଦିଅଁଙ୍କ ସନ୍ଧ୍ୟାଆଳତି, ବେଶ, ସନ୍ଧ୍ୟାଧୂପ ପରେ ପୁଣିଥରେ ଖୋଲା ଯାଇଥିଲା ବେହେରଣ ଦ୍ବାର। ଦଇତାପତି ଭିତରକୁ ଯାଇ ଶ୍ରୀଜୀଉଙ୍କ ଅନବସର ନୀତି କରିଥିଲେ। ପଣାଭୋଗ ସହ ଦଶମୂଳ ମହୌଷଧି ଅର୍ପଣ କରାଯାଇଥିଲା। ଦାରୁବ୍ରହ୍ମଙ୍କ ପାଇଁ ରାଜବୈଦ୍ୟଙ୍କ ଘରେ ଶାଳପର୍ଣ୍ଣି, ଗମ୍ଭାରୀ, ନବାଙ୍ଗକୋଳି, ମଣପଣା, କୃଷ୍ଣପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାତି, ଗୋଖରା ଛେଲି ଓ ଚେରମୂଳିରେ ପ୍ରସ୍ତୁତ ମହୌଷଧି ପ୍ରଦାନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଦାରୁବ୍ରହ୍ମ।
ମହାପ୍ରଭୁ ନବଯୌବନ ପ୍ରାପ୍ତି ପୂର୍ବରୁ ଅଣସର ପିଣ୍ଡିରେ ଚାଲିଛି ଗୋପନ ସେବା। ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ରବିବାର ମହାପ୍ରଭୁ ଚକା ବିଜେ କରିବା ପରେ ଅଣସର ନୀତି ସମ୍ପନ୍ନ ହୋଇଛି। ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ଅନୁଷ୍ଠିତ ହୋଇଯାଇଛି। ଚକା ଉପରେ ବିଜେ ଅବସ୍ଥାରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିଛନ୍ତି। ତେବେ ସୋମବାର ଶ୍ରୀମନ୍ଦିରକୁ ବିଜେ ହୋଇଥିବା ଦଶମୂଳ ମହୌଷଧୀ ମହାପ୍ରଭୁଙ୍କୁ ଲାଗି କରାଯାଇଛି। ବିଳମ୍ୱିତ ରାତିରେ ଏସବୁ ନୀତି ସମ୍ପନ୍ନ ପରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ଅନୁଭବ କରୁଛନ୍ତି। ବରିଷ୍ଠ ଦଇତାପତି ପ୍ରଥମେ ପଟିଦିଅଁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ପଟିଦଅଁଙ୍କ ନିକଟରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ପରେ ଅଣସର ଦ୍ୱାର ଫିଟା ଯାଇଥିଲା। ଏହି ସମୟରେ ଦଇତାପତି ସେବକମାନେ ଅଣସର ଘରେ ଥିବା ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ସଂପନ୍ନ କରିଥିଲେ। ଅଣସର ପିଣ୍ଡିକୁ ଯିବା ଦିନଠାରୁ ଶ୍ରୀଜିଉମାନେ ଧଳାଫୁଲରେ ପୂଜା ପାଉଥିବାବେଳେ ପ୍ରଥମ କରି ମହାପ୍ରଭୁଙ୍କ ପସନ୍ଦର ତୁଳସୀ ଲାଗି କରାଯାଇଥିଲା। ସେହିପରି ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ, ଗଜପତିଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଜଣାଇବେ ସେବକ।