ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଅନୁଷ୍ଠିତ ହେବ ସ୍ୱତନ୍ତ୍ର ରୀତିନୀତି
ପୁରୀ : ଆଜି ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପହର ଧୂପ ପରେ ପାଳିତ ହୋଇଥାଏ।
ପାରମ୍ପରିକ ଅନୁଯାୟୀ ଏହି ଦିନ ସକାଳ ଧୂପ ଶେଷ ହେବା ପରେ ଶ୍ରୀଜିଉଙ୍କ ପାଖରେ ମହା ସ୍ନାନର ଆୟୋଜନ କରାଯାଇ ଥାଏ । ଏହା ପରେ ଗତ କାଲିଠୁ ସଂରକ୍ଷିତ ରଖାଯାଇଥିବା ପବିତ୍ର ସୂତାକୁ ଭଗବାନଙ୍କ ଉପରେ ଅର୍ପଣ କରାଯାଏ । ଏହାପରେ ମଧ୍ୟାହ୍ନ ଧୂପର ଆୟୋଜନ କରାଯାଇଥାଏ । ମଧ୍ୟାହ୍ନ ଧୁପ ଶେଷ ହେଲା ପରେ ଗର୍ଭଗୃହକୁ ସଫା କରାଯାଇ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ପୁଣି ସୁଧା ସୁଆର ସେବକ ମାନଙ୍କ ଦ୍ୱାରା ଚନ୍ଦନ ଅର୍ଗଳି କ୍ଷେତ୍ରକୁ ସଫା କରାଯିବା ସହ ପୂଜା ପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚବର୍ଣ୍ଣ ସୁରୁବ କରାଯାଇଥାଏ । ଏହାପରେ ଭଗବାନ ତ୍ରିମୂର୍ତ୍ତିଙ୍କ ପାଖରେ ବନ୍ଦାପନା ଏବଂ ବରୁଣ ପୂଜା ସମ୍ପର୍ଣ୍ଣ ହେୁଏ । ସେହିପରି ବ୍ରହ୍ମା ବରଣ ବେଳେ ପଟି ମହାପାତ୍ର ଏବଂ ମୁଦିରସ୍ତା ଶପଥ ନେଇଥାନ୍ତି । ପରେ ମତ୍ତାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ସିଂହାସନକୁ ନିଆଯାଇଥାଏ । ସେଠାରେ ମୁଦିରାସ୍ତାଙ୍କ ଦ୍ୱାରା ଭଗବାନଙ୍କୁ ଧଣ୍ଡି ପ୍ରସାଦ (କପଡାରେ ଗୁଡା ହୋଇଥିବା ତୁଳସୀ ମାଳା) ଲାଗି କରାଯାଇଥାଏ । ଶ୍ର୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଗର୍ଭଗୃହରେ ସର୍ବତୋଭଦ୍ର ମଣ୍ଡଳ ଅଙ୍କାଯାଏ ।
ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କୁ ମଣ୍ଡଳର ମଝି ଭାଗରେ ରଖାଯାଏ । ସେହିପରି ବଣିଆ ସେବକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂର୍ଣ୍ଣ ବାମନ ମୂର୍ତ୍ତି ମଣ୍ଡଳରେ ରଖାଯାଇଥାଏ । ସେହି ମୃର୍ତ୍ତିକୁ ସ୍ନାନ କରି ଶୀତଳ ଭୋଗ ଲାଗି କରାଯାଏ । ପୁଣି ବାମନଙ୍କ ଅନ୍ୟ ଜନ୍ମ ସଂସ୍କାର ଆୟୋଜିତ କରାଯାଏ । ଏହା ପରେ ପାଳିଆ ମହାସର ପୂଜାପଣ୍ଡା ଦ୍ୱାରା ଭଗବାନ ଠାରେ ଖିର, ଦହି ଏବଂ କୋରା ଲାଗି ହୋଇଥାଏ । ଭୋଗ ଲାଗି ହେବା ପରେ ମହାଜନ ସେବାକଙ୍କ ଦ୍ୱାରା ବାମନଙ୍କୁ ଜୟ ବିଜୟ ଦ୍ୱାରକୁ ନିଆଯାଏ । ସେଠାରେ ମାର୍କଣ୍ଡ ସାହି ନିବାସୀ ବାମନ ଜନ୍ମ ପଟି ପ୍ରଦାନ କରିଥାନ୍ତି ।
ଏହାପରେ ବାମନଙ୍କୁ ମାଜଣା ମଣ୍ଡପରେ ସଜା ହୋଇଥିବା ଏକ ଖଟୁଲିରେ ରଖା ଯାଇଥାଏ । ପୁଣି ପଟି ମହାପ୍ରସାଦ ଦ୍ୱାରା ଭଣ୍ଡାର ଘରୁ ଜୟ ଦୁର୍ଗାଙ୍କୁ ଏକ ଚାନ୍ଦୀ ଥାଳିରେ ଅଣାଯାଏ । ସେଠାରେ ମା ସୁଭଦ୍ରାଙ୍କ ଠାରୁ ଆଜ୍ଞା ମାଳ ଗ୍ରହଣ କରି ମାଜଣା ମଣ୍ଡପରେ ବାମନଙ୍କ ପାଖରେ ବିରାଜମାନ କରନ୍ତି । ଏହା ପରେ ଚୂଡାକରଣ, ବସୁଧରା, ଯଜ୍ଞପବିତ୍ର ଲାଗି ଅନୁଷ୍ଠିତ ହୋଇଥାଏ । ପୁଣି ମାଜଣା ମଣ୍ଡପକୁ ସଫା କରାଯାଏ ।
ଶେଷରେ ଭଗବାନଙ୍କ ଶରୀରରୁ ଧଣ୍ଡି ପ୍ରସାଦ କଢା ଯାଇଥାଏ । ଏହାପରେ ଶ୍ରୀକୃଷ୍ଣ ଦକ୍ଷୀଣ ଘରକୁ ଏବଂ ମା ଦୁର୍ଗା ଭଣ୍ଡାର ଘରକୁ ଫେରି ଯାଇଥାନ୍ତି ।