ବାଲେଶ୍ୱର : ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଗଣେଶ ମେଢ଼ ବିସର୍ଜନ
ବାଲେଶ୍ୱର : ବାଲେଶ୍ୱର ସହରରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଗଣେଶ ମେଢ ବିସର୍ଜନ ଉତ୍ସବ । ଚଳିତ ବର୍ଷ ଗଣେଶ ପୂଜା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ବେଳୁ ବିଭିନ୍ନ ମଣ୍ଡପର ଗଣେଶ ମୂର୍ତ୍ତିଙ୍କୁ ସହର ଉପକଣ୍ଠ ନୁଣିଆଯୋଡ଼ି ଓ ବାଲିଘାଟ ଅଭିମୁଖେ ଶୋଭାଯାତ୍ରାରେ ନିଆଯାଇଥିବା ଲକ୍ଷ୍ୟ କରାଯାଇଛି ।
ଜିଲାପ୍ରଶାସନ ଏବଂ ଶାନ୍ତିକମିଟିର ପୂର୍ବ ନିଷ୍ପତ୍ତି ଅନୁସାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭସାଣି ପର୍ବ । କେତେକ କ୍ଲବ ପାରମ୍ପାରିକ ବାଦ୍ୟ ଓ ନୃତ୍ୟ ମଧ୍ୟରେ ଶୋଭାଯାତ୍ରାରେ ଠାକୁରଙ୍କୁ ବିସର୍ଜନ ପାଇଁ ନେଉଥିବା ବେଳେ ବହୁ କ୍ଲବରେ ଡିଜେ ସାଉଣ୍ଡର ତାଳେ ତାଳେ ଯୁବକମାନେ ମତୁଆଲା ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ରଙ୍ଗୀନ୍ ଆଲୋକ ମାଳା ସହ ସୁସଜ୍ଜିତ ଗାଡ଼ିରେ ଉପବେଷ୍ଟିତ ଠାକୁରଙ୍କ ଶୋଭାଯାତ୍ରା ଅଧିକ ଆକର୍ଷଣୀୟ ଦେଖାଯାଉଥିଲା । ସମସ୍ତ ପ୍ରକାର ନିୟମ କଟକଣା ସତ୍ତ୍ୱେ କ୍ଲବ ଗୁଡ଼ିକର ଭସାଣୀ ଶୋଭାଯାତ୍ରା ବେଶ୍ ଆଡ଼ମ୍ବରପୂର୍ଣ୍ଣ ଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାକୁ ଦେଖିବା ପାଇଁ ସହର ରାସ୍ତାର ଦୁଇପାଶ୍ୱର୍ରେ ଲୋକଙ୍କ ଭିଡ଼ ଜମିଥିଲା । ସହରର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ପାଣି ଟାଙ୍କି ଛକରୁ କାଳୀମନ୍ଦିର ଛକ ପର୍ଯ୍ୟନ୍ତ ସାଇଲେନ୍ସ ଜୋନର ମଣ୍ଡପର ମୂର୍ତ୍ତି ବୁଢ଼ାବଳଙ୍ଗ ନଦୀର ବାଲିଘାଟରେ ବିସର୍ଜନ ପାଇଁ ଯାଉଥିବା ବେଳେ ଅନ୍ୟାନ୍ୟ କେତେକ ସ୍ଥାନର ମେଢ଼ ନୁଣିଆଯୋଡ଼ିକୁ ଯାଉଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲା ପୋଲିସର ବହୁ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ୭ ପ୍ଲାଟୁନ୍ ମୁତୟନ କରାଯାଇଛି । ରବିବାର ସୁଦ୍ଧା ବାକି ସମସ୍ତ କ୍ଲବର ମେଢ଼ ବିସର୍ଜନ ପାଇଁ ସିଦ୍ଧାନ୍ତ ନିଆଯାଇଛି ବୋଲି ଜିଲା ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଶବ୍ଦ ପ୍ରଦୂଷଣକୁ ଗୁରୁତ୍ୱ ଦେଇ ବିଭିନ୍ନ କମିଟିର କର୍ମକର୍ତ୍ତା ଡିଜେ ବ୍ୟବହାର ନିଷେଧ ସହ ଡାକବାଜି ଯନ୍ତ୍ରର ଶବ୍ଦସୀମା ୬୫ ଡେସିବିଲ ମଧ୍ୟରେ ସୀମିତ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ହେଁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସମସ୍ତ ମେଢ଼ରେ ବିଶାଳକାୟ ଡିଜେ ଗାଡ଼ି ଓ କାନଫଟା ଶବ୍ଦରେ ମାଇକ୍ ବଜାଇ ଯାଉଥିବା କ୍ଲବ ଗୁଡ଼ିକର ଶୋଭାଯାତ୍ରାକୁ ଦେଖିଲେ ମନେ ହେଉଥିଲା ସତେ ଯେପରି ଜିଲାପ୍ରଶାସନର ଶାନ୍ତି କମିଟି ନିଷ୍ପତ୍ତି କେବଳ ବୈଠକରେ ସୀମିତ ରହିଯାଇଛି । ଏକା ଥରକେ ସଂଖ୍ୟାଧିକ ମେଢ଼ ବିସର୍ଜନ ହେଉଥିବାରୁ ବାଲେଶ୍ୱର ସହରର ସମେତ ବାରିପଦା, ଭଦ୍ରକ, ଢେଙ୍କାନାଳ, କଟକ ଓ ଭୁବନେଶ୍ୱରର ନାମୀଦାମୀ ଡିଜେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଅଘୋଷିତ ଡିଜେ ପ୍ରତିଯୋଗୀତା ଦେଖିବା ପାଇଁ ସହରର ମୋତିଗଞ୍ଜ ବଜାର ଅଞ୍ଚଳରେ ପ୍ରବଳ ଜନସମାଗମ ହୋଇଥିଲା । ତେବେ ମାତ୍ରାଧିକ ଶବ୍ଦ ପ୍ରଦ୍ୟୁଷଣ ଭସାଣି ଦେଖଣାହାରୀଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା । ଅନ୍ୟ ପର୍ଯ୍ୟାୟ ଭସାଣି ଶୋଭାଯାତ୍ରା ସମୟରେ ଜିଲା ପ୍ରଶାସନ ଶବ୍ଦ ପ୍ରଦ୍ୟୁଷଣ ରୋକିବା ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।